ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେଲା ଅମର ଯବାନ ଜ୍ୟୋତି । ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସହିଦଙ୍କ ବଦଳିଲା ଠିକଣା

122

କନକ ବ୍ୟୁରୋ: ଦୀର୍ଘ ୫୦ ବର୍ଷ ପରେ ଇଣ୍ଡିଆ ଗେଟରେ ଥିବା ଅମର ଯବାନ ଜ୍ୟୋତିର ଠିକଣା ବଦଳିଛି । ଏଣିକି ଇଣ୍ଡିଆ ଗେଟ ନୁହେଁ ୱାର ମେମୋରିଆଲରେ ଜଳିବ ଅମର ଯବାନଙ୍କ ଅଖଣ୍ଡ ଜ୍ୟୋତି । ଏହି ଜ୍ୟୋତି ଦେଶର ବୀର ଯୋଦ୍ଧାଙ୍କ ସର୍ବୋଚ୍ଚ ବଳିଦାନର ପ୍ରତୀକ । ଏୟାର ମାର୍ଶଲ ବି ରାଧାକୃଷ୍ଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଏକ ମଶାଲରେ ଅମର ଯବାନ ଜ୍ୟୋତି ଶିଖାରୁ ନିଆଁ ନେଇ ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ କରାଯାଇଛି । ଏବେ ସେହି ସ୍ଥାନରେ ସୁବାସ ବୋଷଙ୍କ ପ୍ରତିମୂର୍ତି ସ୍ଥାପନ ହେବ । ଆସନ୍ତା ୨୩ ତାରିଖରେ ନେତାଜୀଙ୍କ ହଲୋଗ୍ରାମ ମୂର୍ତିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ଯବାନଙ୍କ ସ୍ମୃତିରେ ସ୍ଥାପନ ହୋଇଥିଲା ଅମର ଯବାନ ଜ୍ୟୋତି । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୨୬ ଜାନୁଆରୀ ୧୯୭୨ରେ ଏହି ଜ୍ୟୋତି ଜଳାଇଥିଲେ, ଯାହାକୁ ଏବେ ଯୁଦ୍ଧ ସ୍ମାରକୀରେ ବିଲୟ କରାଯାଇଛି ।

  • କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ
  • ପାଲଟ ଆକ୍ରମଣ କଲେ ମୋଦି ସରକାର

ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଟୁଇଟ କରି ଲେଖିଛନ୍ତି. ଦୁଃଖର କଥା ଦେଶର ବୀର ଯୋଦ୍ଧାଙ୍କ ପାଇଁ ଯେଉଁ ଅମର ଜ୍ୟୋତି ଜଳୁଥିଲା, ତାକୁ ଆଜି ଲିଭାଇ ଦିଆଯିବ । କିଛି ଲୋକ ଦେଶ ପ୍ରେମ ଓ ବଳୀଦାନକୁ ବୁଝିପାରିବେ ନାହିଁ । କିଛି କଥା ନୁହେଁ ଦେଶର ବୀର ଯୋଦ୍ଧାଙ୍କ ପାଇଁ ଆମେ ପୁଣିଥରେ ଅମର ଜ୍ୟୋତି ଜଳାଇବୁ । ସେପଟେ ଅମର ଯବାନ ଜ୍ୟୋତି ସ୍ଥାନାନ୍ତରକୁ ପ୍ରତିବାଦର ସ୍ୱର ଉଠିବା ପରେ ବିରୋଧୀଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି ମୋଦି ସରକାର । କହିଛନ୍ତି, ବିଡମ୍ବନାର ବିଷୟ ୭ ଦଶନ୍ଧି ଧରି ଜାତୀୟ ଯୁଦ୍ଧ ସ୍ମାରକୀ ତିଆରି କରିପାରିନଥିବା ଲୋକେ ଏବେ ହଙ୍ଗାମା କରୁଛନ୍ତି । ଏବେ ସହିଦଙ୍କୁ ଉଚିତ ଓ ସ୍ଥାୟୀ ଶ୍ରଦ୍ଧାଞ୍ଜଳି ଦିଆଯାଉଛି ।

ତେବେ ୧୯୭୧ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ ସ୍ଥାପନ ହୋଇଥିଲା ଅମର ଜ୍ୟୋତି ଯବାନ । ସେହିପରି ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀର ଉଦ୍ଘାଟନ କରିଥିଲେ । ଏହି ଦୁଇ ସ୍ଥାନର ଦୂରତା ମାତ୍ର ୪ଶହ ମିଟର । ତେବେ ଦୂରତାକୁ ନେଇ ଏହା ରାଜନୈତିକ ପତିଆରାର ରାଜନୀତି ବୋଲି ଚର୍ଚ୍ଚା ହେଉଛି ।