ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ । ୫୭ କେଜି ଫ୍ରି ଷ୍ଟାଇଲ୍ ରେସଲିଂ ତଥା ପୁରୁଷ କୁସ୍ତିରେ ଅମନ ସେରାୱତଙ୍କୁ ମିଳିଛି ବ୍ରୋଞ୍ଜ ପଦକ । ଏହି ସଫଳତା ସହ ଭାରତର ପଦକ ସଂଖ୍ୟା ୬ରେ ପହଞ୍ଚିଛି । ଅଲିମ୍ପିକ୍ସରେ ମେଡାଲ୍ ଜିତିବାରେ ଅମନ୍ ହେଉଛନ୍ତି ସପ୍ତମ ଭାରତୀୟ ରେସଲର । ତେବେ କିଏ ଏହି ଅମନ ସେରାବତ, ଜାଣିଛନ୍ତି କି ? ଜାଣନ୍ତୁ..
ଅମନ ସେରାବତଙ୍କ ଅଲମ୍ପିକ୍ସ ଯାତ୍ରା ବେଶ ସଂଘର୍ଷମୟ ଥିଲା । ହରିୟାଣା ଇଜ୍ଜର ଜିଲ୍ଲାର ବିରୋହର ଗ୍ରାମରେ ରହୁଥିଲେ ଅମନ । ପଞ୍ଜାବୀ ପରିବାରରୁ ଆସିଥିବା ଅମନ ୧୧ ବର୍ଷ ବୟସରେ ପିତାମାତାଙ୍କୁ ହରାଇଥିଲେ । ମାଆ ହାର୍ଟଆଟାକରେ ପ୍ରାଣ ହରାଇଥିବା ବେଳେ ତାଙ୍କୁ ମାତ୍ର ୧୦ ବର୍ଷ ହୋଇଥିଲା । ତାର ଠିକ୍ ବର୍ଷେ ପରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା ।
ପିଲାଟି ବେଳୁ ପିତାମାତାଙ୍କୁ ହରାଇ ଦୁଃଖରେ ଜୀବନ କାଟୁଥିଲେ ଅମନ । ତାଙ୍କ ଜେଜେବାପା ମାଂଗେରାମ ସେରାବତ ତାଙ୍କୁ ପିଲାଟି ବେଳୁ ଯତ୍ନ ନେଇଥିଲେ । ତାଙ୍କର ଆଜି ଏହି ସଫଳତା ପଛରେ ତାଙ୍କ ଜେଜେବାପାଙ୍କ ବଡ଼ ହାତ ରହିଛି ।
ପିଲାଟି ବେଳୁ କୁସ୍ତି ଖେଳିବା ପ୍ରତି ଅମନଙ୍କ ପ୍ରବଳ ଆଗ୍ରହ ରହିଥିଲା । ତାଙ୍କ ଦୃଢ ମନୋବଳକୁ ଦେଖି କୋଚ୍ ଲଳିତ କୁମାର ତାଙ୍କୁ ଟ୍ରେନିଂ ଦେଇଥିିଲେ । ୨୦୨୧ ରେ ସେ ଜାତୀୟ ଚାମ୍ପିୟନସିପ୍ ଜିତି ଚର୍ଚ୍ଚାକୁ ଆସିଥିଲେ । ଏହାପରେ ସେ ପଛକୁ ବୁଲି ଆଉ ଦେଖିନଥିଲେ । ସଫଳତାର ଶିଖର ଆଡ଼କୁ ମାଡି ଚାଲିଲେ । ୨୦୨୨ ଏସିଆନ ଚାମ୍ପିୟନସିପରେ ସେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ୨୦୨୩ ଏସିଆନ କୁସ୍ତି ଚାମ୍ପିୟନସିପ ଓ ୨୦୨୪ ଜାଗରେବ ଓପନ ଟୁର୍ଣ୍ଣାମେଣ୍ଟରେ ଗୋଲ୍ଡ ମେଡାଲ ଜିତ ଦେଶର ନାଁକୁ ଗର୍ବିତ କରିଥିଲେ ।