ତାଲାବନ୍ଦ ବେଳେ ଅଟକିବନି ଚାଷୀ ଭାଇର କାମ । ସମସ୍ୟାର ସମାଧାନ ପାଇଁ ସରକାର ଜାରି କଲେ ହେଲ୍ପଲାଇନ୍ ନମ୍ବର…

234

କନକ ବ୍ୟୁରୋ: କୃଷି ଜନିତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନେଲେ ବଡ ନିଷ୍ପତି । ରାଜ୍ୟରେ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଏକ ହେଲ୍ପ-ଲାଇନ୍ ନମ୍ବର ଜାରି କରାଯାଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । କୃଷକଙ୍କ ସହାୟତା ପାଇଁ ହେଲ୍ପ ଲାଇନ୍ ନମ୍ବର – ୧୮୦୦୧୦୨୫୧୬୬ ସପ୍ତାହରେ ସୋମବାରରୁ ଶନିବାର ଦିନ ୧୨ଟାରୁ ରାତି ୮ଟା ଯାଏଁ ଖୋଲା ରହିବ । ଚାଷୀ ଏହି ନମ୍ବରରେ ଫୋନ୍ କରି ନିଜ ସମସ୍ୟା ଜଣାଇପାରିବେ ।

ସବୁଠାରୁ ବଡ଼ କଥା ହେଲା, ସରକାରଙ୍କ ଦ୍ୱାରା ନିୟୋଜିତ କୃଷି ଟିମ୍ କୃଷକଙ୍କ ସମସ୍ୟାର ସମାଧାନ ଦିଗରେ କାମ କରିବେ । ସେହିଭଳି ମତ୍ସ୍ୟ ଓ ପଶୁ ସମ୍ପଦ ଅଧିକାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଆଜି ଭିଡିଓ କନ୍ଫରେନ୍ସ ଜରିଆରେ ଆଲୋଚନା ସମୟରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ।

ଏହି ତାଲାବନ୍ଦ ସମୟରେ ରାଜ୍ୟର ସମସ୍ତ ପଶୁ ଡାକ୍ତରଖାନା ଖୋଲା ରହିବ । ଏହାକୁ ନେଇ ସୃଷ୍ଟି ହେଉଥିବା ଅସୁବିଧାରେ ଧିରେ ଧିରେ ସୁଧାର ଆସିବ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଯେଉଁ ଅଧିକାରୀ ଅନୁପସ୍ଥିତ ରହିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ମଧୁର ଜଳ ମାଛ ଚାଷ କରିବା ପାଇଁ ଚାଷୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।