ରକ୍ତଦାନ କ୍ଷେତ୍ରରେ ୨୦୧୯ରେ ଆମ ଓଡ଼ିଶାର ସଫଳତା । ୧ ହଜାର ୩୨୮ଟି ଶିବିରରୁ ୬୮ ହଜାର ୬୫୮ ୟୁନିଟ ରକ୍ତ ସଂଗ୍ରହର ରେକର୍ଡ
କନକ ବ୍ୟୁରୋ : ରକ୍ତଦାନ କ୍ଷେତ୍ରରେ ୨୦୧୯ରେ ଆମ ଓଡ଼ିଶା ଅଭୂତପୂର୍ବ ସଫଳତା ହାସଲ କରିଛି । ୧ ହଜାର ୩୨୮ଟି ଶିବିରରୁ ୬୮ ହଜାର ୬୫୮ ୟୁନିଟ ରକ୍ତ ସଂଗ୍ରହର ରେକର୍ଡ ହୋଇଛି । ରାଜ୍ୟର ୩୦ଟି ଯାକ ଜିଲ୍ଲାକୁ ୯ଟି ଜୋନରେ ବିଭକ୍ତ କରାଯାଇ ଏହି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବାଲେଶ୍ୱର ଜୋନରେ ସର୍ବାଧିକ ୧୪ ହଜାର ୯ ଶହ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ କଟକ ଜୋନରେ ୧୨ ହାଜର ୫୦୬ ୟୁନିଟ, ସମ୍ବଲପୁର ଜୋନରେ ୧୧ ହଜାର ୩୬୧ ୟୁନିଟ, ଭୁବନେଶ୍ୱର ଜୋନରେ ୭ ହଜାର ୧୬୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସେହିପରି ବ୍ରହ୍ମପୁର ଜୋନରେ ୭ ହଜାର ୧ ୟୁନିଟ, ଅନୁଗୁଳ ଜୋନରେ ୬ ହଜାର ୯୦୪ ୟୁନିଟ, ଜୟପୁର ଜୋନରେ ୪ ହଜାର ୧୮୦ ୟୁନିଟ, ଯାଜପୁର ଜୋନରେ ୩ ହଜାର ୪୮ ୟୁନିଟ ଓ ରାଉରକେଲା ଜୋନରେ ଏକ ହଜାର ୫୫୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତବର୍ଷ ଓଡ଼ିଶାରେ ଗୋଟିଏ ଦିନରେ ରକ୍ତ ସଂଗ୍ରହ କ୍ଷେତ୍ରରେ ଆମ ଓଡ଼ିଶାକୁ ଆଉ ଏକ ସଫଳତା ମିଳିଛି । ଅଗଷ୍ଟ ୧୮ ଯୁବ ସ୍ୱାଭିମାନ ଦିବସରେ ୬୭ଟି ରକ୍ତଦାନ ଶିବିରରୁ ୫ ହଜାର ୪୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଗତବର୍ଷ ରାଜ୍ୟରେ ସାଧାରଣ ନିର୍ବାଚନ ତଥା ଫନି ବାତ୍ୟା କାରଣରୁ ପ୍ରଥମ ୬ ମାସ ମଧ୍ୟରେ ରକ୍ତଦାନ ଶିବିର ବାଧାପାପ୍ତ ହୋଇଥିଲା । ତେବେ ସହଯୋଗୀ ଅନୁଷ୍ଠାନ ତଥା ସ୍ୱେଚ୍ଛାସେବୀମାନଙ୍କର ସହାୟତାରେ ରକ୍ତ ସଂଗ୍ରହରେ ଏହି ରେକର୍ଡ କରାଯାଇପାରିଛି । ଏଅବସରରେ ରକ୍ତଦାନ ଶିବିର ସହ ସମ୍ପୃକ୍ତ ଥିବା ସମସ୍ତ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଓ ରକ୍ତଦାତାମାନଙ୍କୁ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଜଣାଇବା ସହ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି