କନକ ବ୍ୟୁରୋ : ଦେବଗଡ, ବରଗଡ ଓ ମୟୂରଭଞ୍ଜରେ ଆରମ୍ଭ ହେଲା ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା । ପ୍ରତି ପଞ୍ଚାୟତ ଓ ପ୍ରତି ଗାଁର ବିକାଶ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନା ଜରିଆରେ ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା ।  ଏଥିପାଇଁ ମୟୂରଭଂଜ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୧୧ କୋଟି ୫୦ ଲକ୍ଷ ଟଙ୍କା । ବଡସାହି, ବାଙ୍ଗିରୀପୋଷି, ବାରିପଦା, ମୋରଡା ଏବଂ ଉଦଳା ନିର୍ବାଚନମଣ୍ଡଳୀର ୨୨୩ଟି ଗ୍ରାମ ପଞ୍ଚାୟତରେ ୩୦୮୧ ଟି ପ୍ରକଳ୍ପ ହେବ। ସେହିପରି ବରଗଡ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୨୬ କୋଟି ୫୦ ଲକ୍ଷ ଟଙ୍କା  ମଂଜୁର ହୋଇଛି। ଅତାବିରା, ବିଜେପୁର, ବରଗଡ, ପଦମପୁର ଓ ଭଟଲିର ୨୫୩ଟି ଗ୍ରାମପଞ୍ଚାୟତରେ ୩୧୩୫ ଟି ପ୍ରକଳ୍ପ କରାଯିବ। ସେହିପରି ଦେବଗଡ ଜିଲ୍ଲାର  ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ୩୫ କୋଟି ଟଙ୍କା ଅନୁମୋଦନ କରାଯାଇଛି ଏବଂ ଏଥିରେ ୭୦ଟି ଗ୍ରାମପଞ୍ଚାୟତରେ  ୯୯୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Advertisment
ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ,  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ୩ ଜିଲ୍ଲାରେ ଏହି ଯୋଜନାର ଆରମ୍ଭ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,  ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । ବ୍ୟାଙ୍କିଙ୍ଗ ସୁବିଧା  ମିଳିବ। ଏହି କାର୍ୟ୍ୟକ୍ରମରେ ଗାଁର ପ୍ରାଥମିକ ସ୍କୁଲ ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।
ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ଥାନୀୟ ଲୋକେ କହିଛନ୍ତି, ୫-ଟି ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି  । ଆମ ଓଡିଶା, ନବୀନ ଓଡିଶା କାର୍ୟ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି ।