କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଆମ ଗାଁ ଆମ ବିକାଶର ନିର୍ଦ୍ଦେଶନାମାଙ୍କୁ ସଂଶୋଧନ କରି ରାଜ୍ୟ ସରକାର ଆମ ଓଡିଶା ନବୀନ ଓଡିଶା ଯୋଜନା ଆରମ୍ଭ କରିଛନ୍ତି । ଗ୍ରାମାଞ୍ଚଳର ଭିତ୍ତିଭୂମି ବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ରାଜ୍ୟର ସମୃଦ୍ଧ ଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ପ୍ରସ୍ତାବ ଗ୍ରହଣ କରାଯିବ । ଏହି ଯୋଜନା ଅଧିନରେ ଆର୍ଥିକ ବର୍ଷ ୨୦୨୩-୨୦୨୪ ପାଇଁ ୪ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

Advertisment

ଯୋଜନାର ଅଂଶସ୍ୱରୂପ ପୂଜା ଓ ଐତିହାସିକ ସ୍ଥାନର ବିକାଶ ତଥା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧାର ବିକାଶ ନିମନ୍ତେ ପ୍ରତ୍ୟେକ ଗାଁରେ ୧୦ ଲକ୍ଷ ଯାଏଁ ଖର୍ଚ୍ଚ କରାଯାଇପାରିବ । ପଞ୍ଚାୟତ ଗୁଡିକରେ ଆଧୁନିକ ଭିତ୍ତିଭୂମିର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ଯାଏଁ ଅନୁଦାନ ପାଇପାରିବେ । ଏହାଛଡା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ମାଗାଣାରେ ଜମି ଯୋଗାଇ ଦିଆଯିବ । ସେହିଭଳି ଲମତାପୁଟ ଡିଗ୍ରୀ କଲେଜକୁ ମିଳିବ ୫ ଏକର ଜମି । ଏ ନେଇ ଏକ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ଦେଇଛି । ସେହିପରି ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ କୁଇ ଭାଷାକୁ ସାମିଲ କରିବା ପ୍ରସ୍ତାବରୁ କ୍ୟାବିନେଟ ମୋହର ମାରିଛି । ଏଥିଲାଗି କେନ୍ଦ୍ରକୁ ଚିଠି ଲେଖାଯିବ । ଏହି ନିଷ୍ପତ୍ତିରେ ୭ଲକ୍ଷରୁ ଅଧିକ କୁଇଭାଷୀ ଉପକୃତ ହେବ ।