ପ୍ରତି ପଞ୍ଚାୟତରେ ଏଣିକି ମିଳିବ ବ୍ୟାଙ୍କ ସେବା । ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଉପଲବ୍ଧ ହେବ ୧୫ଟି ସୁବିଧା

811

କନକ ବ୍ୟୁରୋ: ଏବେ ଅପହଞ୍ଚ ଇଲାକାରେ ପହଞ୍ଚିବ ବ୍ୟାଙ୍କ ସେବା । ରାଜ୍ୟର ଅନେକ ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚି ନଥିବା ଖବର ବାରମ୍ବାର ଆସିବା ପରେ ଏଥିପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି । ପ୍ରତି ପଞ୍ଚାୟତାରେ ଆରମ୍ଭ କରିଛନ୍ତି ଆମ ବ୍ୟାଙ୍କ ସେବା । ତେବେ ଆଉ ବ୍ୟାଙ୍କ ସେବା ପାଇବା ପାଇଁ ଯିବାକୁ ପଡିବନି ମାଇଲି ମାଇଲି ବାଟ । ଏବେ ନିଜ ପଞ୍ଚାୟତରେ, ଘର ପାଖରେ ସମସ୍ତେ ପାଇବେ ବ୍ୟାଙ୍କ ସେବା । ଏଥିପାଇଁ ଐତିହାସିକ ପଦକ୍ଷେପ ନେଇ ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟର ବ୍ୟାଙ୍କ ନଥିବା ୪ ହଜାର ୩୭୩ ପଞ୍ଚାୟତରେ ଖୋଲିବ ସିଏସପି ପ୍ଲସ ବ୍ୟାଙ୍କିଂ ଆଉଟଲେଟ୍ । ଏଥିରେ ୧୫ଟି ବ୍ୟାଙ୍କ ସେବା ମିଳିପାରିବ । ଏଥିପାଇଁ ରାଜ୍ୟ ସରକାର ୫ବର୍ଷ ପର୍ଯ୍ୟନ୍ତ ବିନା ମୂଲ୍ୟରେ ବ୍ୟାଙ୍କ ଗୁଡିକୁ ଘର ଯୋଗାଇ ଦେବେ । ରାଜ୍ୟ ସରକାରଙ୍କ ଅର୍ଥ ଓ ପଞ୍ଚାୟତିରାଜ ବିଭାଗର ଉଦ୍ୟମରେ ଏହି ସେବା ମିଳିବ । ରାଜ୍ୟ ସରକାର ଆମ ବ୍ୟାଙ୍କ ସେବା ଆରମ୍ଭ କରିବା ପରେ ଏହାକୁ ନେଇ ବେଶ୍ ଖୁସି ଉପାନ୍ତ ଅଞ୍ଚଳର ଲୋକେ । ବିଶେଷକରି ବୟସ୍କ, ଭିନ୍ନକ୍ଷମ ଓ ଗର୍ଭବତୀ, ଯେଉଁମାନେ ବ୍ୟାଙ୍କ ସେବା ପାଇଁ ଦୂର ବାଟ ଯାଉଥିଲେ, ସେମାନେ ଏବେ ଘର ପାଖରେ ସେବା ପାଇବେ ଜାଣି ଖୁସି ହୋଇଛନ୍ତି ।

ତେବେ ଗତ କିଛି ଦିନ ହେଲା ବ୍ୟାଙ୍କ ସେବା ପାଇଁ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଅନେକ ଅସୁବିଧାର ସମ୍ମୁଖୀନ ହେବାର ଚିତ୍ର ବାରମ୍ବାର ସାମନାକୁ ଆସୁଥିଲା । କିନ୍ତୁ ସେହି ସମସ୍ୟା ଏବେ ଦୂର ହେବ ବୋଲି ଆଶା କରାଯାଉଛି ।