ଏନଡିଏରେ ସହଯୋଗୀ ନଥାଇ ବି ଏବେ ଏନଡିଏର ଭାଷା କହୁଛନ୍ତି ମାୟାବତୀ : ରାଜ୍ୟସଭାରେ ବିରୋଧୀଙ୍କ ବ୍ୟବହାର ଅତି ଲଜ୍ଜାଜନକ ବୋଲି ମନ୍ତବ୍ୟ ଦେବା ପରେ ରାଜନୀତି ସରଗରମ 

193

କନକ ବ୍ୟୁରୋ : କୃଷିବିଲକୁ ନେଇ ବର୍ଷିଲେ ମାୟାବତୀ । ବହୁଜନ ବା ଦଳିତ ମାନଙ୍କର ଅଧିକାର ପାଇଁ ଲଢେଇ କରି ଉତ୍ତତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରିଥିବା ମାୟାବତୀ ଏବେ କୃଷିବିଲକୁ ବିରୋଧ କରୁଥିବା ଦଳ ଓ ସାଂସଦମାନଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟସଭାରେ କୃଷିବିଲ ପାରିତବେଳେ ବିରୋଧୀମାନେ ଯେଭଳି ବ୍ୟବହାର ପ୍ରଦର୍ଶନ କରିଛନ୍ତି ତାହାକୁ ନେଇ ମାୟାବତୀ କଡା ସମାଲୋଚନା କରିଛନ୍ତି । ସେ ତାଙ୍କର ଟ୍ୱିଟରରେ ଲେଖିଛନ୍ତି କି ସଂସଦକୁ ଗଣତନ୍ତ୍ରର ମନ୍ଦିର କୁହାଯାଏ । ହେଲେ ବିରୋଧୀ ସାଂସଦମାନେ ସଂସଦରେ ଯେଭଳି ବ୍ୟବହାର ଦେଖାଇଲେ ତାହାଦ୍ୱାରା ସଂସଦର ମର୍ଯ୍ୟଦା ସମ୍ପୁର୍ଣ୍ଣ କ୍ଷୁର୍ଣ୍ଣ ହୋଇଛି । ମୌସୁମୀ ଅଧିବେଶନ ବେଳେ ବିପକ୍ଷମାନେ ଯେଭଳି ବ୍ୟବହାର ପ୍ରଦର୍ଶନ କଲେ ତାହାଦ୍ୱାରା ସଂସଦର ମର୍ଯ୍ୟଦା,ସଂବିଧାନର ଗରିମା ଓ ଲୋକତନ୍ତ୍ର ଲଜ୍ଜା ।
ରବିବାର ରାଜ୍ୟସଭାରେ କିଷାନ ବିଧେୟକ ଉପସ୍ଥାପିତ ହେବା ପରେ ବିରୋଧୀ ସାଂସଦ ମାନେ ଜୋରଦାର ହଙ୍ଗାମା କରିଥିଲେ । ଟିଏମସି ସାଂସଦ ଡାରେକେ ଓବ୍ରେନ ଉପସଭାପତିଙ୍କ ଆସନ ପାଖକୁ ଯାଇ ରୋଲବୁକ୍ ଚରିଦେଇଥିଲେ । ଏହାପରେ ଉପସଭାପତି ଧ୍ୱନୀମତ ସହାୟତାରେ ୨ ଟି କୃଷି ବିଲକୁ ପାରିତ କରିଦେଇଥିଲେ ।
ଅନ୍ୟପଟେ ଦଳିତ, ବ୍ରାହ୍ମଣ ଓ ମୁସଲମାନ ସଂପ୍ରଦାୟ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ମୟାବାତୀ ବିଜେପି ଉପରେ ଦୋଷାରୋପ କରିଛନ୍ତି । ସେ ତାଙ୍କର ଅନ୍ୟଏକ ଟ୍ୱିଟ୍ ରେ ଲେଖିଛନ୍ତି କି ସମାଜବାଦୀ ପାର୍ଟି ସରକାର ଯେଭଳି ଭାବେ ବ୍ରାହ୍ମଣ, ଦଳିତ ଓ ମୁସଲମାନଙ୍କୁ ଖୋଜି ଖୋଜି ସେମାନଙ୍କ ଉପରେ ଅତ୍ୟାଚାର କରୁଥିଲେ ସେହିଭଳି ବିଜେପି ସରକାରା ଏବେ ସେମାନଙ୍କ ଉପରେ ଅତ୍ୟାଚାର ଚଳାଇଛି । ସେମାନଙ୍କୁ ବିଭିନ୍ନ ମିଛ ମାମଲାରେ ଫସାଇ ହଇରାଣ ହରକତ କରାଯାଉଛି । ଯାହାକି ଅତ୍ୟନ୍ତ ଦୁଖଦାୟକ ।