ଅଲତାଫ ଶେଖ୍: ଚା’ ପକୁଡି ବିକାଳିରୁ ଆଇପିଏସ୍ ଅଫିସର

200

କନକ ବ୍ୟୁରୋ: ଦିନ ଥିଲା ସ୍କୁଲ ହତା ଭିତରେ ଚା, ଭୁଜିଆ, ପକୁଡି ଆଦି ବିକ୍ରି କରୁଥିଲେ ।ହେଲେ ଆଜି ସେ ଆଇପିଏସ୍ ଅଫସର୍ । ଆମେ କହୁଛୁ ମହାରାଷ୍ଟ୍ର ପୁଣେ କାଟେୱାଡି ବାସିନ୍ଦା ଅଲତାଫ୍ ଶେଖଙ୍କ କଥା । ପରିବାରର ଦାରିଦ୍ୟ୍ର କଷାଘାତ ଭିତରେ ବି ୟୁପିଏସସି ପରି କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେହି ଅଂଚଳର ଗୌରବ ପାଲଟିଛନ୍ତି ଅଲତାଫ୍ ଶେଖ୍ ।

ନିପଟ ଗାଁରେ ବଢିଥିବା ଅଲତାଫଙ୍କ ଜୀବନ ସଂଘର୍ଷରେ ଭରା । ଘରର ଆର୍ଥିକ ଅବସ୍ଥା ଶୋଚନୀୟ ଥିବାରୁ ଦି ପଇସା ରୋଜଗାର କରିବାକୁ ପାଖ ସ୍କୁଲ ହତା ଭିତରେ ଚା’ ସହ ଭୁଜିଆ, ପକୁଡି ଆଦି ବିକ୍ରି କରୁଥିଲେ । କିନ୍ତୁ ପାଠ ପଢିବାକୁ ଥିଲା ପ୍ରବଳ ଇଚ୍ଛା । ବାପାଙ୍କର ବି ପୁଅକୁ ପଢାଇବାର ଇଚ୍ଛା ଥିଲା । ଚା’, ପକୁଡି ବିକ୍ରି କରି ଯାହା ଦି ପଇସା ମିଳୁଥିଲା, ସେଥିରେ ଘର ଖର୍ଚ୍ଚ କରିବା ସହ ପଢା ପାଇଁ ଆଉ ଦି ପଇସା ବଂଚାଇ ରଖୁଥିଲେ । ତାଙ୍କର ଦୃଢ ଇଚ୍ଛା ଓ କଠିନ ପରିଶ୍ରମ ସହ ଆତ୍ମ ବିଶ୍ୱାସ ଆଗରେ ମୁଣ୍ଡ ନୁଆଁଇଥିଲା ଦାରିଦ୍ର୍ୟତା । ଷଷ୍ଠ ଶ୍ରେଣୀରେ ଏଣ୍ଟ୍ରାନ୍ସ କ୍ଲିଅର କରି ଇସ୍ଲାମପୁର ନବୋଦୟ ବିଦ୍ୟାଳୟରେ ପଢିଲେ । ନିଅଣ୍ଟିଆ ପରିସ୍ଥିତି ସମୟରେ ସାଙ୍ଗ ସାଥୀଙ୍କ ସହାୟତା ଓ ଶିକ୍ଷକଙ୍କ ସହଯୋଗରେ ଇଣ୍ଟର ଶେଷ ପରେ ଫୁଡ ଆଣ୍ଡ୍ ଟେକ୍ନୋଲୋଜିରେ ଡିଗ୍ରି କଲେ । ଏହାପରେ ସରକାରଙ୍କ ଦ୍ୱାରା ପରିଚାଳିତ ବାରାମତି ରାଷ୍ଟ୍ରବାଦୀ କରିଅର ଏକାଡେମୀରେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କଲେ । ଆଉ ସଫଳ ହେଲେ କିନ୍ତୁ ର୍ୟାଙ୍କ କମ୍ ରହିବାରୁ କେନ୍ଦ୍ରିୟ ଲୋକସେବା ଆୟୋଗର ସହାୟକ କମାଣ୍ଡାଣ୍ଟ ଭାବେ ଯୋଗ ଦେଲେ । ହେଲେ ଆଖିରୁ ଲିଭିନଥିଲା ଆଇପିଏସ୍ ହେବାର ସ୍ୱପ୍ନ । ପୁଣିଥରେ ପରୀକ୍ଷା ଦେଲେ । ଆଉ ଚଳିତ ବର୍ଷ ଆଇପିଏସ୍ ପାଇଛନ୍ତି ଅଲତାଫ୍ । ବାରାମତି ତାଲୁକାରରେ ସେ ହେଉଛନ୍ତି ପ୍ରଥମ ଆଇପିଏସ୍ ଅଧିକାରୀ । ଏକାଡେମୀ ଠାରୁ ଆରମ୍ଭ କରି ପୁରା ଜିଲ୍ଲା ତାଙ୍କୁ ନେଇ ଆଜି ଗର୍ବିତ ।

କହିରଖୁଁ କି, ଯୁବଗୋଷ୍ଠୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି କରିବାରେ ସାହାଯ୍ୟ କରିବାକୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର ଓ ସୁନେତ୍ରା ପୱାର ୨୦୧୨ରେ ବାରାମତି ରାଷ୍ଟ୍ରବାଦୀ କରିଅର୍ ଏକାଡେମୀର ଶୁଭାରମ୍ଭ କରିଥିଲେ । ଏହି ଏକାଡେମୀରୁ ଏଯାଏଁ ୧୭ଜଣ ଛାତ୍ରଛାତ୍ରୀ କୋଚିଂ ନେଇ ବିଭିନ୍ନ ବିଭାଗରେ ଅଧିକାରୀ ପଦ ଅଳଂକୃତ କରିବା ସହ ଅନ୍ୟାନ୍ୟ ସରକାରୀ ଚାକିରିରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।