କନକ ବ୍ୟୁରୋ: ୧୯୯୪ ମସିହାର ଆଇଏଏସ ଅଫିସର ଜି ମାଥିଭାଥନନଙ୍କୁ ନେଇ ପୁଣି ବଢିଛି ଚର୍ଚ୍ଚା । ଦୀର୍ଘବର୍ଷ ହେଲା ଜି ମାଥିଭାଥନନ ନଗର ଉନ୍ନୟନ ବିଭାଗର ସଚିବ ପଦ ମାଡିବସିଛନ୍ତି । ଏପରିକି ଆଇନକୁ ମାଡି ମକଚି ବିଡିଏ ଅଧ୍ୟକ୍ଷ ପଦରେ ବସିଛନ୍ତି । ଏବେ ନୂଆ ସରକାର ଆସିବା ପରେ କି ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

Advertisment

ଜି ମାଥିଭାଥନନ, ୧୯୯୪ର ବ୍ୟାଚର ଏହି ଆଇଏଏସ ଅଫିସର ବହୁବର୍ଷ ଧରି ନଗର ଉନ୍ନୟନ ବିଭାଗର ସଚିବ ଅଛନ୍ତି । ଅନେକ ବାବୁ ଆସିଛନ୍ତି ଯାଇଛନ୍ତି, କିନ୍ତୁ ମାଥିଭାଥନନଙ୍କ ବଦଳି ହୋଇନାହିଁ । ପୂର୍ବ ସରକାର ଅମଳରେ ରାଜ୍ୟରେ କିଭଳି ବାବୁରାଜ ଚାଲିଥିଲା, ନଗର ଉନ୍ନୟନ ବିଭାଗ, ତାର ଆଉଏକ ଉଦାହରଣ । ଏହି ବାବୁଜଣକ କେବଳ ଦୀର୍ଘବର୍ଷ ହେଲା ଗୋଟିଏ ବିଭାଗର ସଚିବ ଗାଦି ମାଡି ବସିଛନ୍ତି ତାହାନୁହେଁ, ବରଂ ଓଢ଼ିଶା ଡେଭଲପମେଂଟ ଅଥରିଟି ଆକ୍ଟକୁ ମାଡି ମକଚି ନିଜେ ବିଡିଏ ଅଧ୍ୟକ୍ଷ ବନିଯାଇଛନ୍ତି ।

ଓଢ଼ିଶା ଡେଭଲପମେଂଟ ଅଥରିଟି ଆକ୍ଟ- ଓଡିଏ ୧୯୮୨ ଅନୁସାରେ ବିଭାଗୀୟ ମନ୍ତ୍ରୀ ବିଡିଏ ଅଧ୍ୟକ୍ଷ ରହିବା କଥା ଏବଂ ବିଭାଗର ସଚିବ ଉପାଧ୍ୟକ୍ଷ ରହିପାରିବେ । କିନ୍ତୁ ଆଇନର ଖୋଲାଖୋଲି ଉଲ୍ଲଂଘନ କରି ବିଭାଗୀୟ ସଚିବ ମାଥି ଭାଥନନଙ୍କୁ ବିଡିଏ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

ବିଡିଏର କୌଣସି ନିଷ୍ପତି ବିରୋଧରେ ଆପତି ଅଭିଯୋଗ ଥିଲେ ଏହାର ଅଧ୍ୟକ୍ଷଙ୍କ ନିକଟରେ ଅପିଲ କରିବାକୁ ହୁଏ । ତେଣୁ ବିଭାଗୀୟ ମନ୍ତ୍ରୀଙ୍କୁ ଏହାର ଅଧ୍ୟକ୍ଷ କରାଯାଏ । ଏଥିପାଇଁ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଏ । ୨୦୦୫ ମସିହାରେ ଗିଜେଟ୍ ବିଜ୍ଞପ୍ତି ଅନୁସାରେ, ତତକାଳୀନ ମନ୍ତ୍ରୀ ତଥା ବର୍ତମାନର ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ବିଡିଏ ଅଧ୍ୟକ୍ଷ ରହିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୧୪ରେ ମଧ୍ୟ ଭୁବନେଶ୍ୱର ସମେତ, କଟକ, କଳିଙ୍ଗନଗର, ପାରାଦୀପ ଓ ପିକେଡିଏର ଅଧ୍ୟକ୍ଷ ଭାବେ ମନ୍ତ୍ରୀଙ୍କୁ କ୍ଷମତାସୀନ କରାଯାଇଥିଲା । ହେଲେ ଆଇନର ଉଲ୍ଲଂଘନ କରି ବିଡିଏ ଅଧ୍ୟକ୍ଷ ଭାବେ ସଚିବ ଜି ମାଥିଭଥନନଙ୍କୁ ନିଯୁକ୍ତି ଦିଆଯାଇଥିଲା ।
ରାଜ୍ୟରେ ଅଫିସର ରାଜକୁ ବିରୋଧ କରୁଥିବା ବିଜେପି ରାଜ୍ୟ ଶାସନ କ୍ଷମତାରେ ବସିଛି । ତେଣୁ ପୂର୍ବ ସରକାରରେ ଆଇନକୁ ଉଲ୍ଲଂଘନ କରି ଅଫିସରଙ୍କୁ ଦିଆଯାଇଥିବା ଅବୈଧ ନିଯୁକ୍ତି ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାର କଥା ।

ସବୁଠାରୁ ବଡକଥା ହେଉଛି, ରାଜ୍ୟ ନୂଆ ସରକାର ଶପଥ ନେବା ପୂର୍ବରୁ ବିଡିଏର ଅଥୋରିଟି ମିଟିଂ ଡାକିବାକୁ ଏକ ଚିଠି କରିଥିଲେ । ତରବରିଆ ଭାବେ ଏହି ବୈଠକ ଡାକିବାକୁ ନେଇ ପୁଣି ବିବାଦକୁ ଆସିଛନ୍ତି ନଗର ଉନ୍ନୟନ ସଚିବ ଜି ମାଥିଭାଥନନ ।