ମଣ୍ଡିରୁ ଉଠୁନି କିନ୍ତୁ ଦଲାଲ ମାନଙ୍କ ଘରୁ ଉଠୁଛି । ଅସାଧୁ ବ୍ୟବସାୟୀଙ୍କ ଘରୁ ସିଧା ଗୋଦାମକୁ ଯାଉଛି ଟ୍ରକ ଟ୍ରକ ବାଦାମ । ଅଭିଯୋଗ କି, ପ୍ରଶାସନ-ଦଲାଲଙ୍କ ମଧୂଚନ୍ଦ୍ରିକା ଯୋଗୁଁ ଚିନ୍ତାରେ ଚିନା ବାଦାମ ଚାଷୀ ।

158

କନକ ବ୍ୟୁରୋ: ମଣ୍ଡିରୁ ଉଠୁନି ଚାଷୀଙ୍କ କଷ୍ଟ ଉପାର୍ଜିତ ଚିନା ବାଦାମ । କିନ୍ତୁ ଦଲାଲମାନଙ୍କ ଘରୁ ଉଠୁଛି । ଅସାଧୁ ବ୍ୟବସାୟୀଙ୍କ ଘରୁ ଟ୍ରକ ଟ୍ରକ ବାଦାମ ସିଧା ସଳଖ ଫେଡେରେସ୍ନ ଗୋଦାମକୁ ଯାଉଛି । ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ । ସରକାରୀ ବସ୍ତାରେ ଚିନା ବାଦମ ଭର୍ତି କରି ଟ୍ରକ ଲୋଡ ହୋଉଥିବା ବେଳେ ଟ୍ରକକୁ ଅଟକ ରଖିଛନ୍ତି ଗ୍ରାମବାସୀ । ଆଉ ପ୍ରଶ୍ନ କରିଛନ୍ତି, ବାଦାମ ଭର୍ତି କରି ମଣ୍ଡିକୁ ଆଣିବା ପାଇଁ ଚାଷୀଙ୍କୁ ଅଖା ମିଳୁ ନଥିବା ବେଳେ ବ୍ୟବସାୟୀଙ୍କ ପାଖକୁ କେମିତି ଆସିଲା ସରକାରୀ ଅଖା ।

ଧୁ ଧୁ ଖରାରେ ମଣ୍ଡିରେ ଚିନା ବାଦାନମ ରଖି ହନ୍ତସନ୍ତ ହେଉଛନ୍ତି ଚାଷୀ । କେତେବେଳେ ଅଖା ନାହିଁ, ତ ପୁଣି କେତେବେଳେ ଲୋକ ଅଭାବ । ବିଭିନ୍ନ ଆଳ ଦେଖାଇ ଦିନ ଗଡାଇ ଚାଲିଛନ୍ତି ମଣ୍ଡି କର୍ତୃପକ୍ଷ । ମଣ୍ଡି ଓ ଚାଷୀଙ୍କ ସମସ୍ୟା ଭିତରେ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ । ଦଲାଲଙ୍କ ଘରୁ ହିଁ ସରାକାରୀ ବସ୍ତାରେ ଭର୍ତୀ ବାଦାମ ଟ୍ରକରେ ଲୋଡ ହୋଇଛି । ମାଲକାନଗିରି ଏମ.ଭି-୫ ଗାଁର ଚାଷୀମାନଙ୍କ ହାତରେ ଏହି ଟ୍ରକ ଧରା ପଡିବା ପରେ ବେଆଇନ ଚିନା ବାଦାମ କିଣାବିକା ଖବର ସାମ୍ନାକୁ ଆସିଛି । ଆଉ ଅଭିଯୋଗ ହୋଇଛି ଏହି ବାଦାମ ବୋଝେଇ ଟ୍ରକ ମଣ୍ଡିକୁ ନ ଯାଇ ସିଧା ସଳଖ ଫେଡରେଶନକୁ ଯିବା ଲାଗି ପ୍ରସ୍ତୁତ ହୋଇଥିଲା । ଜଣେ ଦଲାଲଙ୍କ ଅହେତୁକ ଅନୁକମ୍ପା ଦେଖାଇ ମଣ୍ଡି କର୍ତୃପକ୍ଷ ୪୦୦ରୁ ଅଧିକ ସରକାରୀ ଅଖା ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ ।

ମାଲକାନଗିରି ଜିଲ୍ଲାର ଚାଷୀମାନେ ୪ ମାସ ଧରି ମୁଣ୍ଡ ଝାଳ ତୁଣ୍ଡରେ ମାରିି ଚିନା ବାଦାମ ଅମଳ କରିଛନ୍ତି । ଚାଷ ୪ ମାସର କଷ୍ଟ କୁ ବଳି ପଡିଛି ମଣ୍ଡି ଯନ୍ତ୍ରଣା । ଚଳିତ ବର୍ଷ ଏଫ.ଏ.କ୍ୟୁ ମାନର ଚିନା ବାଦାମ ଲାଗି କ୍ୱିଂଟାଲ ପ୍ରତି ୫୦୯୦ ଟଙ୍କା ଧାର୍ଯ୍ୟ ହୋଇଛି । ମଣ୍ଡିରେ ଚାଷୀଙ୍କ ବାଦାମରେ କଟନି ଛଟନି ହୋଉ ଥିବା ବେଳେ ଦଲାଲଙ୍କ ପାଇଁ ବ୍ୟବସ୍ଥା କୋହଳ ହୋଇଛି । ନିର୍ଦିଷ୍ଟ କିଛି ଅସାଧୁ ବ୍ୟବସାୟୀ ଲ୍ୟାମ୍ପସ୍ ଅଧିକାରୀଙ୍କୁ ହାତ ବାରିଷି କରି ମଣ୍ଡିକୁ ନିୟନ୍ତ୍ରଣ କରୁଥିବା ନେଇ ଚାଷୀ ଅଭିଯୋଗ କରିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ପୋଟେରୁ ଲ୍ୟାମ୍ପ କର୍ତୃପକ୍ଷ ।