ବଢ଼ିବ ବିଭିନ୍ନ ବର୍ଗର ଲୋକଙ୍କ ଭତ୍ତା । ୩ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି ସରକାର ।

439

କନକ ବ୍ୟୁରୋ: ସାମାଜିକ ସୁରକ୍ଷା ଭତ୍ତା, ସବୁବେଳେ ସରକାରଙ୍କ ପାଇଁ ବଡ ଭୋଟ୍ ବ୍ୟାଙ୍କ ହୋଇ ରହିଆସିଛି । ସେଥିପାଇଁ ନିର୍ବାଚନର ଠିକ ପୂର୍ବରୁ ୩୬ ଲକ୍ଷ ୭୫ ହଜାର ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କରିଥିଲେ ପୂର୍ବତନ ବିଜେଡି ସରକାର । ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରି ଏକ ବଡ ଭୋଟବ୍ୟାଙ୍କକୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଖେଳିଥିଲେ ମାଷ୍ଟରଷ୍ଟ୍ରୋକ୍ । ହେଲେ ନିର୍ବାଚନରେ ଏହାର ବିଶେଷ ଫଳ ମିଳିଲା ନାହିଁ । ତେଣୁ ଏବେ ନୂଆ ସରକାର ଭତ୍ତା ବୃଦ୍ଧି ପାଇଁ ସଙ୍କେତ ଦେଇଛନ୍ତି । ସାମାଜିକ ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ..

  • ବିଭିନ୍ନ ବର୍ଗର ଲୋକଙ୍କ ଭତ୍ତା ବଢ଼ାଇବାକୁ ଯୋଜନା ହେଉଛି
  • ହିତାଧିକାରୀଙ୍କୁ ମାସିକ ୩୦୦୦ ଟଙ୍କା ଭତ୍ତା ଦିଆଯିବ
  • ଅର୍ଥ ବିଭାଗ ସହ ଏଥିପାଇଁ ଆଲୋଚନା ହେଉଛି
  • ଖୁବଶୀଘ୍ର ଭତ୍ତା ବୃଦ୍ଧି ନେଇ ଘୋଷଣା କରାଯାଇପାରେ

ସୂଚନାଯୋଗ୍ୟ ଯେ, ଗୋଟିଏ ଦିନ ଆଗପଛ ହୋଇ ଶପଥଗ୍ରହଣ କରିଥିଲେ ଆନ୍ଧ୍ରପ୍ରଦେଶ ଟିଡିପି ଏବଂ ଓଡିଶାରେ ବିଜେପି ସରକାର । ବଡକଥା ହେଉଛି ଗତକାଲି ବିଭିନ୍ନ ବର୍ଗଙ୍କ ପାଇଁ ଭତ୍ତା ବୃଦ୍ଧି କରିଛନ୍ତି ପଡୋଶୀ ଆନ୍ଧ୍ରପ୍ରଦେଶ ସରକାର । ପୂର୍ବରୁ ୩୦୦୦ ଥିବା ଭତ୍ତାକୁ ୪୦୦୦ ଓ ପୂର୍ବରୁ ୪୦୦୦ ଟଙ୍କା ଥିବା ଭତ୍ତାକୁ ୬୦୦୦ ଟଙ୍କା କରିଛନ୍ତି ଟିଡିପି ସରକାର । ତେଣୁ ଏବେ ପ୍ରଶ୍ନ ଉଠୁଛି ଓଡିଶାରେ ଭତ୍ତାକୁ କେବେ ଓ କେତେ ଟଙ୍କା ଯାଏଁ ବୃଦ୍ଧି କରିବେ ମୋହନ ସରକାର । କୁହାଯାଉଛି, ଆଗକୁ ବଜେଟ ଆସିବାକୁ ଯାଉଛି, ତେଣୁ ଏ ସଂକ୍ରାନ୍ତରେ ବ୍ୟୟବରାଦ ହୋଇପାରେ । ବିରୋଧୀ ବିଜେଡି କହିଛି, ପୂର୍ବ ସରକାର ଭତ୍ତା ରାଶି ବଢାଇଥିଲେ ଏବେ ନୂଆ ସରକାର ମଧ୍ୟ ଭତ୍ତା ବୃଦ୍ଧି କରିବା ଉଚିତ୍ ।

ଜାଣିରଖିବା ଉଚିତ୍ ଯେ, ଗତ ଫେବ୍ରୁଆରୀ ୧୦ ତାରିଖରେ ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି କରିଥିଲେ ପୂର୍ବତନ ବିଜେଡି ସରକାର । ଏଥିପାଇଁ ୩୬ଶହ ୮୩ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଥିଲେ । ଏବେ ଯଦି ଭତ୍ତା ୩୦୦୦ ଟଙ୍କାକୁ ବଦ୍ଧି ହୁଏ ତାହା ହେଲେ ଆର୍ଥିକ ବୋଝ ଆହୁରି ବଢିଯିବ ।