ରଥଯାତ୍ରା ହେବ କି ନାହିଁ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଅପେକ୍ଷା ଭିତରେ ଆଗେଇ ଚାଲିଛି ରଥକାମ । ଏପଟେ ଶ୍ରୀମନ୍ଦିର ଭିତରେ କେମିତି ହେବ ରଥ ରୀତିନୀତି, ପ୍ରଶ୍ନ ଉଠାଇଲେ ପରିଚାଳନା କମିିଟି ସଦସ୍ୟ

ରଘୁନାଥ ମହାପାତ୍ର କହିଲେ, ସୁପ୍ରିମକୋର୍ଟରେ ଠିକ୍ ତଥ୍ୟ ଦେଇନାହାନ୍ତି ସରକାର

371

କନକ ବ୍ୟୁରୋ: ଚଳିତ ବର୍ଷ ରଥ ଯାତ୍ରା ହେବ କି ନାହିଁ ସେ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ଅପେକ୍ଷା କରାଯାଇଛି । ରଥ ଯାତ୍ରା ଉପରେ ସୁପ୍ରିମକୋର୍ଟଙ୍କ କଟକଣା ପରେ ରାୟର ପୁନଃବିଚାର ପାଇଁ ଏକାଧିକ ଆବେଦନ ହୋଇଛି । ଏହି ସମସ୍ତ ଆବେଦନର ଶୁଣାଣି ଆସନ୍ତା ସୋମବାର କରିବେ ସୁପ୍ରିମକୋର୍ଟ । ଏପଟେ ଶ୍ରୀମନ୍ଦିର ଭିତରେ କେମିତି ହେବ ରଥ ଯାତ୍ରା ନୀତିକାନ୍ତି ସେନେଇ ପ୍ରଶ୍ନ ଉଠାଇଛନ୍ତି ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର ।

ରଥ ଉପରେ ହେଉଥିବା ଅଧରପଣା ନୀତି ଓ ଛେରା ପହଁରା କେଉଁଠି କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ପୁରୀକୁ ଚାରିପଟୁ ସୀଲ କରି ରଥ ଯାତ୍ରା କରାଇବା ପାଇଁ ପ୍ରସ୍ତାବ ଦେଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି । ହେଲେ ରଥ ଯାତ୍ରା ସମୟରେ ପୁରୀରେ ୧୦ ଲକ୍ଷ ଲୋକ ଦେବେ ବୋଲି ସରକାର ସୁପ୍ରିମକୋର୍ଟରେ କହିଥିବା ସେ ଅଭିଯୋଗ କରିଛନ୍ତି ।

ରଥ ଯାତ୍ରା ହେବ କି ନାହିଁ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏପଟେ କିନ୍ତୁ ପୁରୀରେ ଆଗେଇ ଚାଲିଛି ରଥ କାମ । ଆଜି ତିନି ରଥରେ କନା ମଣ୍ଡନ କାମ ଆରମ୍ଭ ହୋଇଛି । କୋଠ ସୁଆଶିଆ ସେବାୟତ ଏହି କନା ମଣ୍ଡନ କାମ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତି ରଥ ଯାତ୍ରା ସପକ୍ଷରେ ଆସିଲେ ଏଥିପାଇଁ ଆଗୁଆ ପ୍ରସ୍ତୁତ ହୋଇ ରହିବାକୁ ଚାହୁଁଛି ଶ୍ରୀମନ୍ଦିର ପ୍ରଶାସନ ।