ଓଡ଼ିଶାରେ ନିଯୁକ୍ତିର ବଡ଼ ସମ୍ଭାବନା : ୯୨ ହଜାର ୭୧୩ କୋଟିର ୫ଟି ମେଗା ପ୍ରକଳ୍ପରେ ପୁଞ୍ଜି ନିବେଶ ପ୍ରସ୍ତାବକୁ ଅନୁମତି । ରାଜ୍ୟରେ ୩୧ ହଜାର ୯୭୯ ନିଯୁକ୍ତି ସମ୍ଭାବନା

1,710

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ରାଜ୍ୟକୁ ଆସୁଛି ୯୨ ହଜାର କୋଟିରୁ ଅଧିକ ଟଙ୍କା ପୁଂଜିନିବେଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହାଇ-ଲେବୁଲ୍ କ୍ଲିୟରାନ୍ସ ଅଥରିଟିର ବୈଠକରେ ୫ଟି ବଡ଼ ପୁଂଜିନିବେଶ ପ୍ରସ୍ତାବକୁ ଅନୁମତି ମିଳିଛି । ଫଳରେ ରାଜ୍ୟରେ ୯୨ ହଜାର ୭୧୩ କୋଟି ଟଙ୍କା ନିବେଶ ହେବ ଏବଂ ୩୧ ହଜାର ୯୭୯ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମହାମାରୀ ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଥିବା ବେଳେ ଶିଳ୍ପ ବିକାଶ ଓ ପୁଂଜି ନିବେଶକୁ ମଜଭୁତ କରିବା ପାଇଁ ଅଂଟା ଭିଡିଛି ଓଡ଼ିଶା ।

ବିଶେଷ କରି ମେଟାଲ୍ ସେକ୍ଟରରେ ୫ଟି ମେଗା ନିବେଶ ପ୍ରସ୍ତାବକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ପେଲେଟ୍ସ , ଲୁହା , ଷ୍ଟେନ୍ଲେସ୍ ଷ୍ଟିଲ , ଫ୍ଲାଏ ଆସ୍ ଆଦି ଶିଳ୍ପରେ ଏହି ନିବେଶ ହେବ । ଏହି ପୁଂଜିନିବେଶ ମଧ୍ୟରେ ରହିଛି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ର ଅନୁଗୁଳ ସ୍ଥିତି ଷ୍ଟିଲ ପ୍ଲାଂଟର ସଂପ୍ରସାରଣ । ସେହିପରି ଏଥିରେ ରହିଛି ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡର କଳିଙ୍ଗନଗର ପ୍ଲାଂଟର ସଂପ୍ରସାରଣ ।

ଏହା ସହ ଅନୁମତି ପାଇଥିବା ପୁଂଜିନିବଶେ ମଧ୍ୟରେ ରହିଛି ସମ୍ବଲପୁରରେ ଥିବା ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡର ଇସ୍ପାତ କାରଖାନାର ସଂପ୍ରସାରଣ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପୁଂଜିନିବେଶ ନିଯୁକ୍ତି କ୍ଷେତ୍ରରେ ବଡ଼ ସୁଯୋଗ ସୃଷ୍ଟି କରିବ । ରାଜ୍ୟରେ ଶିଳ୍ପ ଅର୍ଥନୀତିରେ ତ୍ୱରିତ ସୁଧାର ଆସିଛି । ନବୀନ କହିଛନ୍ତି, ଫେବ୍ରୁଆରୀ ମାସରୁ ଏପର୍ଯ୍ୟନ୍ତ ୧ ଲକ୍ଷ ୧୭ ହଜାର କୋଟିର ପୁଂଜିନିବେଶକୁ ଅନୁମତି ଦିଆଯାଇଛି । ଯାହା ୫୩ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।