ସେବା କାର୍ଯ୍ୟକାରୀ ହେଲା, ଏପଟେ ଲମ୍ବିଲା ଅବ୍ୟବସ୍ଥାର ତାଲିକା । କାମ ଦେଉନି ସ୍ମାର୍ଟ କାର୍ଡ, ପଦାକୁ ଆସୁଛି ହେଲଥ ସ୍ମାର୍ଟ କାର୍ଡର ଅବ୍ୟବସ୍ଥା ।

436

କନକ ବ୍ୟୁରୋ : ଯୋଜନା ଘୋଷଣା ହେଲା ଗୋଟିଏ ଗୋଟିଏ ଜିଲ୍ଲାରେ କାର୍ଡ ବାଣ୍ଟିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବି କରାଗଲା । ହେଲେ ଏହାର ସୁଫଳ ହିତାଧିକାରୀ ପାଉଛନ୍ତି କି ନାହିଁ ତା ଉପରେ ସତେ ଯେମିତି ସ୍ୱାସ୍ଥ୍ୟ ବିଭାଗର ନଜର ନାହିଁ । ଗୋଟିଏ ଗୋଟିଏ ଜିଲ୍ଲାରୁ କାର୍ଡର ଅବ୍ୟବସ୍ଥା ନେଇ ଅଭିଯୋଗ ଆସି ଚାଲିଛି । କେତେବେଳେ ପଇସା ନେଇ ଚିକିତ୍ସା କରାଯାଉଛି ତ କେତେବେଳେ କୋଡ ପାଇଁ ରୋଗୀ ଚିକିତ୍ସା ଆରମ୍ଭ କରାଯାଇପାରୁନାହିଁ । ରାଉରକେଲାରୁ ଏନେଇ ଅଭିଯୋଗ ଆସିବା ବ୍ୟବସ୍ଥାର ଭିନ୍ନ ଏକ ଦିଗକୁ ସାମ୍ନାକୁ ଆଣିଛି ।

କୋଡ୍ ଆସୁନି, କାମ ଦେଉନି ସ୍ମାର୍ଟ କାର୍ଡ ! ପଦାକୁ ଆସୁଛି ହେଲଥ ସ୍ମାର୍ଟ କାର୍ଡର ଅବ୍ୟବସ୍ଥା । ଚାରି ଦିନ ହେବ ହସ୍ପିଟାଲ ବେଡରେ ରୋଗୀ ପଡିଛନ୍ତି । ଭୁବନେଶ୍ୱରରୁ କୋଡ୍ ଆସିନଥିବାରୁ ଚିକିତ୍ସିତ ହୋଇ ପାରୁନାହାନ୍ତି ରୋଗୀ । ଏଭଳି ଅଭିଯୋଗ ଆସିଛି ରାଉରକେଲା ହାଇଟେକ୍ ମେଡିକାଲ୍ ହସ୍ପିଟାଲରୁ । ସ୍ମାର୍ଟ କାର୍ଡ ଦେଖାଇ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ହେଲେ ଚିକିତ୍ସା ସୁବିଧା ପାଇବାରେ ଅସୁବିଧା ଭୋଗୁଛନ୍ତି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡରେ ମାଗଣା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲକୁ ଅନୁବନ୍ଧିତ କରାଯାଇଛି । ଲୋକେ ଚିକିତ୍ସା ସୁବିଧା ପାଇବା ପାଇଁ ଦୂର ଦୂରାନ୍ତରୁ ରେଫରାଲ ଡାକ୍ତରଖାନାକୁ ଆସୁଛନ୍ତି । କାହାର ଗୋଡ ଭାଙ୍ଗିଯାଇଛି ତ ଆଉ କାହାର କାନ୍ଧ ହାଡ ଭାଙ୍ଗିଯାଇଛି । ହସ୍ପିଟାଲରେ ଭର୍ତ୍ତି ହେଲେ ସ୍ମାର୍ଟ କାର୍ଡ କାମରେ ଲାଗିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ଭୁବନେଶ୍ୱରରୁ କୋଡ ଆସିନି ବୋଲି ରୋଗୀ ଏବେ ହସ୍ପିଟାଲ ବେଡରେ ପଡି ହନ୍ତସନ୍ତ ହେଉଛନ୍ତି ।

ନିକଟରେ ସୁନ୍ଦରଗଡ଼ରୁ ଜଣେ କ୍ୟାନସର ରୋଗୀ, ଭୁବନେଶ୍ୱର ଆପୋଲୋ ହସପିଟାଲକୁ ଆସି ମାଗଣା ଚିକିତ୍ସା ନପାଇ ଫେରି ଯାଇଥିଲେ । ସେତେବେଳେ ସୁନ୍ଦରଗଡ଼ ସିଡିଏମଓ କହିଥିଲେ, ସମନ୍ୱୟର ଅଭାଗ ଯୋଗୁଁ ଏପରି ହୋଇଛି । ତେବେ ନୂଆ ନୂଆ ଅଭିଯୋଗ ଆସୁଥିବାରୁ ଏହି ସବୁ ସମସ୍ୟା ଦୂର କରିବାକୁ ପଦକ୍ଷେପ ନିଆଯାଇନଥିବା ଜଣାପଡିଛି ।