କନକ ବ୍ୟୁରୋ : ଉନ୍ନତିକରଣ କାମ ଆଳରେ ଲୋକଙ୍କ ଅର୍ଥ ହରିଲୁଟ୍ ଅଭିଯୋଗ । ବିଧାୟକଙ୍କ ପାଣ୍ଠିରୁ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ କରିଛନ୍ତି ବିଧାୟକଙ୍କ ପୁତୁରା । ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପୁତୁରା ବିଷ୍ଣୁପ୍ରସାଦ ବାକା । ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ ନାୟକଗୁଡା ପଂଚାୟତ ଅଧିନ ଆରଡି ରୋଡ଼ ଠାରୁ କନ୍ଧଗୁଡ଼ା ଗାଁକୁ ସଂଯୋଗ କରୁଥିବା ରାସ୍ତା କାମକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦାଦା-ପୁତୁରା । ରାସ୍ତା ଉନ୍ନତିକରଣ ପାଇଁ ୨୦୨୦ – ୨୧ ଆର୍ଥିକ ବର୍ଷରେ ବିଧାୟକ ଫଣ୍ଡରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ଏହି ସମାନ ରାସ୍ତା ପାଇଁ ସମାନ ଆର୍ଥିକ ବର୍ଷରେ ସିଜିଏପ୍ ଯୋଜନାରୁ ୬ ଲକ୍ଷ ଖର୍ଚ୍ଚ ହୋଇଥିବା ଦର୍ଶା ଯାଇଛି । କାମ କିଛି ନକରି ୨ ଥର ବିଲ ହୋଇଥିବା ଅଭିଯୋଗ ଆଣିଛନ୍ତି ବିଧାୟକଙ୍କ ପୁତୁରା ବିଷ୍ଣୁ ।
ସେହିପରି ମାଳିଗୁଡା ଖେଳ ପଡିଆର ଉନ୍ନତୀକରଣ ପାଇଁ ୨ ଥରରେ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏପରି ଅନେକ କାମ ଆଳରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆଣିଛି କଂଗ୍ରେସ ଦଳ । ମାଥିଲି ବ୍ଲକରୁ କଂଗ୍ରସକୁ ମିଳିଥିବା ତଥ୍ୟ ଅନୁସାରେ, ନାୟକଗୁଡା ପଂଚାୟତରେ ୨୦୨୦–୨୧, ୨୧–୨୨ ଏବଂ ୨୨–୨୩ ଆର୍ଥିକ ବର୍ଷରେ ୩୦ଟି ପ୍ରକଳ୍ପ ହୋଇଛି । ପଂଚାୟତ ଅଧିନରେ ବିଧାୟକ ପାଣ୍ଠି ଓ ବ୍ଲକର ବିଭିନ୍ନ ଯୋଜନାରୁ ଏକ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରରେ ଲୋକଙ୍କ ଅର୍ଥ ଆତ୍ମସାତ ହୋଇଥିବା ଯୁକ୍ତି ବାଡିଛନ୍ତି କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା ।
ପ୍ରଶାସନର ଅପାରଗତା ଓ ସାଲିସ୍ ନିତି ଉପରେ କଂଗ୍ରେସ ନେତା ବର୍ଷଥିବା ବେଳେ ଚିତ୍ରକୋଣ୍ଡା ବିଧାୟକ ଏନେଇ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନାହାନ୍ତି । କ୍ୟାମେରା ପଛରେ କିନ୍ତୁ ଏହି ପ୍ରକଳ୍ପ ଦୁର୍ନୀତି ଘଟଣାକୁ ସଂପୃର୍ଣ ମିଥ୍ୟା କହିବା ସହ ରାଜନୈତିକ ଦୃଷ୍ଟି କୋଣରୁ ବିରୋଧୀ ଏପରି ଆରୋପ କରୁଥିବା କହିଛନ୍ତି ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା ।