କନକ ବ୍ୟୁରୋ : ମୋଦି ସରକାର ଏକ ପ୍ରକାର ମେଣ୍ଟରୁ ମୁକ୍ତ ହୋଇଛନ୍ତି । ଏବେ କେନ୍ଦ୍ର କ୍ୟାବିନେଟରେ ବିଜେପି ବ୍ୟତିତ ଅନ୍ୟ କୌଣସି ଦଳର ମନ୍ତ୍ରୀ ନାହାନ୍ତି । ଏନଡିଏ ମେଣ୍ଟରେ ଏବେ କେବଳ ଆରପିଆଇର ରାମଦାଶ ଅଠାୱଲେ ମନ୍ତ୍ରୀ ରହିଛନ୍ତି । ସେ ସାମାଜିକ ନ୍ୟାୟ ଓ ଅଧିକାର ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଅଛନ୍ତି । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଗଠିତ ହୋଇଥିବା ସରକାରରେ ବିଜେପି ବ୍ୟତିତ ଶିବସେନାର ଅରବିନ୍ଦ ସାୱନ୍ତ, ଶୀରୋମଣି ଅକାଳୀ ଦଳରୁ ହରସିମତ କୌର ବାଦଲ ଓ ଲୋକଜନଶକ୍ତି ପାର୍ଟିର ରାମବିଳାଶ ପଶୱାନ କ୍ୟାବିନେଟ୍ ମନ୍ତ୍ରୀପଦ ପାଇଥିଲେ ।
୨୦୧୯ ନିର୍ବାଚନ ବେଳେ ଏନଡିଏ ମେଣ୍ଟରେ ମୋଟ ୨୧ ଟି ରାଜନୈତୀକ ଦଳ ସାମିଲ ହୋଇଥିଲେ । ଏନଡିଏ ମୋଟ ୩୫୨ ଆସନରେ ବିଜୟ କରିଥିବା ବେଳେ ଏକାକି ବିଜେପିକୁ ୩୦୩ ଆସନ ମିଳିଥିଲା । ୩୦ ମଇ ୨୦୧୯ ରେ କେନ୍ଦ୍ରମନ୍ତ୍ରୀମଣ୍ଡଳର ଶପଥ ପାଠ ହୋଇଥିଲା । ଏଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଛାଡି ୫୭ ଜଣ ସାଂସଦ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେମାନଙ୍କ ମଧ୍ୟରୁ ୨୪ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୯ ଜଣ ରାଜ୍ୟମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାରୀ) ଓ ୨୪ ରାଜ୍ୟମନ୍ତ୍ରୀ ସାମିଲ ହୋଇଥିଲେ ।
ଅରବିନ୍ଦ ସାୱନ୍ତ (ଶିିବସେନା), ହରସମିତ କୌର ବାଦଲ (ଶିରୋମଣୀ ଅକାଳୀଦଳ), ରାମବିଳାଶ ପଶୱାନ (ଏଲଜେପି), ଏନଡିଏ ମେଣ୍ଟରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏମାନଙ୍କ ମଧ୍ୟରୁ ଅରବିନ୍ଦ ସାୱନ୍ତ ଓ ହରସମିତ କୌର ବାଦଲ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ସହ ଅସହମତି ଯୋଗୂୁଁ ଇସ୍ତଫା ଦେଇଥିବା ବେଳେ ରାମବିଳାଶ ପଶୱାନଙ୍କ ଦେହାନ୍ତ ହୋଇଯାଇଛି । ଯାହା ଫଳରେ ରାଜ୍ୟମନ୍ତ୍ରୀଙ୍କ ସଂଖ୍ୟା ୨୪ ରୁ ହ୍ରାସ ପାଇ ୨୩ ରେ ପହଂଚିଯାଇଛି ।
୨୦୧୪ ରେ ଏନଡିଏ ମେଣ୍ଟରେ ୨୪ ଟି ଦଳ ରହିଥିଲେ । ୨୦୧୪ ନିର୍ବାଚନ ବେଳେ ଏନଡିଏ ମେଣ୍ଟକୁ ମୋଟ ୩୩୬ ଆସନ ମିଳିଥିଲା । ଯାହା ମଧ୍ୟରୁ କେବଳ ବିଜେପି ୨୮୨ ଟି ଆସନରେ ବିଜୟଲାଭ କରିଥିଲା । ୨୬ ମଇ ୨୦୧୪ ରେ ୨୪ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୧୦ ରାଜ୍ୟମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାରୀ), ଓ ୧୨ ଜଣ ରାଜ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେମାନଙ୍କ ମଧ୍ୟରୁ ବିଜେପିକୁ ଛାଡି ମେଣ୍ଟରୁ ମାତ୍ର ୪ ଜଣ ମନ୍ତ୍ରୀପଦ ପାଇଥିଲେ । ହରସମିତ କୌର ବାଦଲ (ଅକାଳୀଦଳ), ଅନନ୍ତ ଗିତେ (ଶିବସେନା),ରାମବିଳାଶ ପଶୱାନ (ଏଲଜେପି), ଅଶୋକ ଗଜପତି ରାଜୁ (ଟିଡିପି) ।
ମହାରାଷ୍ଟ୍ରରେ କ୍ଷମତା କନ୍ଦଳକୁ ନେଇ ଶିବସେନା ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରିନେଲା । ପୂର୍ବ ମାସରେ କୃଷି ବିଲ୍ କୁ ନେଇ ଅକାଳୀଦଳ ବି ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରିନେଲା । ଅନ୍ୟପଟେ ନିତିଶ କୁମାରଙ୍କ ଜେଡିୟୁ ସିଧାସଳଖ କେନ୍ଦ୍ରସରକାରରେ ସାମିଲ ହୋଇ ନଥିଲେ ବି ବାହ୍ୟ ସମର୍ଥନ ଜାରି ରଖିଛି ।