କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ଏବେ ସବୁଠି ରାଜନୀତିର ପାରା ଉପରମୁହାଁ । ଗୋଟିଏ ପଟେ ବିଜେପି ୪୦୦ ପ୍ଲସ୍ ନାରା ଦେଇ ନିର୍ବାଚନ ଲଢୁଥିବାବେଳେ, ଅନ୍ୟପଟେ ବିରୋଧୀ ଇଣ୍ଡିଆ ମେଣ୍ଟ ମୋଦୀଙ୍କ ବିଜୟ ରଥରେ ବ୍ରେକ୍ ଦେବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛି । ଆଉ ଏହାରି ଭିତରେ ଜାମ୍ମୁକାଶ୍ମୀର ଓ ଲଦାଖରେ ନିର୍ବାଚନ ପୂର୍ବରୁ ଏକାଠି ହେଇଛନ୍ତି କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ । ଜାମ୍ମୁକାଶ୍ମୀର ଓ ଲଦାଖର ୬ଟି ଲୋକସଭା ଆସନରେ ଏକାଠି ଲଢିବେ ଏହି ଦୁଇ ଦଳ । ଏନେଇ ଦୁଇ ଦଳଙ୍କ ଭିତରେ ମେଣ୍ଟ ହେଇଛି । ସୋମବାର ଏନେଇ କଥାବାର୍ତ୍ତା ପରେ ଘୋଷଣା କରାଯାଇଛି ।

ଦିଲ୍ଲୀରେ ନ୍ୟାସନାଲ କନଫରେନ୍ସର ଉପାଧ୍ୟକ୍ଷ ଏବଂ ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ କଂଗ୍ରେସ ଦଳର ପ୍ରେସମିଟ୍ ହେଇଥିଲା । କଂଗ୍ରେସ ନେତା ସଲମାନ ଖୁର୍ଶିଦ ଏବଂ ପବନ ଖେଡା ଏହି ପ୍ରେସମିଟ୍ କରିଥିଲେ । ଏହି ସମୟରେ ସଲମାନ ଖୁର୍ଶିଦ କହିଥିଲେ ଯେ, ଜାମ୍ମୁକାଶ୍ମୀରର ମହତ୍ତ୍ୱ ସବୁ ସମୟରେ ଅଧିକ ରହିଛି । ଯେଉଁ ସନ୍ଦେଶ ଜାମ୍ମୁକାଶ୍ମୀରରୁ ଯାଏ, ତା ବହୁତ ଦୂର ପର୍ଯ୍ୟନ୍ତ ଯାଏ ।

ଏହାପରେ ଓମାର ଅବଦୁଲ୍ଲା କହିଥିଲେ ଯେ, କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ଏକାଠି ହେଇ ଜାମ୍ମକାଶ୍ମୀର ଓ ଲଦାଖରେ ନିର୍ବାଚନ ଲଢିବେ । ସମସ୍ତ ୬ଟି ସିଟରେ ଇଣ୍ଡିଆ ମେଣ୍ଟର ବିଜୟ ହେବ ବୋଲି ସେ ଦୃଢୋକ୍ତି ଦେଖାଇଥିଲେ । ତେବେ ଉଭୟ ଦଳ ୩ଟି ଲେଖାଏଁ ଆସନରେ ନିଜର ପ୍ରାର୍ଥୀ ଦେବେ ବୋଲି କୁହାଯାଇଛି । କଂଗ୍ରେସ ଉଧମପୁର, ଜମ୍ମୁ ଓ ଲଦାଖରେ ନିଜର ପ୍ରାର୍ଥୀ ଦେବାକୁ ସ୍ଥିର ହେଇଥିବାବେଳେ, ନ୍ୟାସନାଲ କନଫରେନ୍ସ ଅନନ୍ତନାଗ, ଶ୍ରୀନଗର ଓ ବାରାମୁଲା ସିଟରେ ନିଜର ପ୍ରାର୍ଥୀ ଦେବ ।

ମିଳିଥିବା ସୂଚନା ମୁତାବକ, କଂଗ୍ରେସ ଉଧମପୁର ସିଟରେ ଲାଲ ସିଂହଙ୍କୁ ପ୍ରାର୍ଥୀ କରିଥିବାବେଳେ, ଜାମ୍ମୁରୁ ରମନ ଲାଲଙ୍କୁ ଟିକେଟ୍ ଦେଇଛି । ସେହିପରି ନ୍ୟାସନାଲ କନଫରେନ୍ସ ଅନନ୍ତନାଗ ସିଟରୁ ପ୍ରଭାବଶାଳୀ ଗୁର୍ଜର ନେତା ତଥା ପୂର୍ବତନ ମନ୍ତ୍ରୀ ମିଆଁ ଉଲତାଫଙ୍କୁ ପ୍ରାର୍ଥୀ କରିଛି । ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ଓମାର ଅବଦୁଲ୍ଲା ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି । ସେ କହିଛନ୍ତି, ଟାର୍ଗେଟ ରଖିବାରେ କଣ ଅଛି? ୪୦୦ କଣ, ୪୫୦, ୫୦୦ ମଧ୍ୟ ଟାର୍ଗେଟ ରଖନ୍ତୁ । ଯେଉଁ ଅନୁସାରେ କେନ୍ଦ୍ରୀୟ ସଂସ୍ଥାଙ୍କ ଦ୍ୱାରା ରେଡ୍ ଏବଂ ଗିରଫଦାରୀ କରାଯାଉଛି, ତାକୁ ଦେଖି ଲାଗୁଛି ବିଜେପି ଡରିସାରିଛି ।