କନକ ବ୍ୟୁରୋ: ବିଜେପି ନେତୃତ୍ୱଧୀନ ଏନଡିଏ, ଗୋଟିଏ ପରେ ଗୋଟିଏ ଦଳ ସହ ମେଂଟ କରି କଳେବର ବୃଦ୍ଧିି କରୁଛି । ବିଶେଷକରି ଏନଡିଏର ପୁରୁଣା ସହଯୋଗୀ, ରାଜନୈତିକ ଦଳଙ୍କୁ ପୁଣି ଥରେ ମେଂଟରେ ସାମିଲ କରି ଶକ୍ତି ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି ବିଜେପି । ଏହି କ୍ରମରେ ବିଜେଡିକୁ ଏନଡିଏରେ ସାମିଲ କରିବାକୁ ବିଜେପି ଯୋଜନା କରିଥିବା କୁହାଯାଉଛି । ହେଲେ, ମେଂଟକୁ ନେଇ ଚର୍ଚ୍ଚାର ୨ସପ୍ତାହ ପରେ ବି ସ୍ପଷ୍ଟ ହୋଇନି ପୂରା ଚିତ୍ର ।

Advertisment

ବିଜେପି-ବିଜେଡି ମେଂଟ କେତେ ବାଟ ଗଲା, ଅଟକି ଯାଇଛି କି ଆଗକୁ ବଢୁଛି, ଜାଣିବା ପାଇଁ କେବଳ ଦଳୀୟ କର୍ମୀ ନୁହେଁ, ସାରା ରାଜ୍ୟ ଅପେକ୍ଷା କରି ରହିଛି । କାରଣ ୨୦୦୯ରେ ବିଜେଡି-ବିଜେପି ମେଂଟ ଭାଙ୍ଗିବା ପରେ ଏପରି ଦ୍ୱନ୍ଦ୍ୱାତ୍ମକ ସ୍ଥିତି କେବେ ସୃଷ୍ଟି ହୋଇନି । ଶାସକ ଦଳ ସହ ମୁଖ୍ୟ ବିରୋଧୀ ଦଳ ମେଂଟ ବାନ୍ଧି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା, ଏହା ପୂର୍ବରୁ କେବେ ବି ହୋଇନଥିଲା । ତେବେ ରାଜ୍ୟରେ ମେଂଟ ହେବ ବୋଲି ଯେତେବେଳେ ଚର୍ଚ୍ଚା ଆଗକୁ ବଢୁଛି, ସେତେବେଳେ ବିଜେପି ରାଜ୍ୟ ସଭାପତି ଦ୍ୱନ୍ଦ୍ୱ ବଢ଼ାଇବାରେ ଲାଗିଛନ୍ତି । ଶେଷରେ ଶୀର୍ଷ ନେତୃତ୍ୱ ଚୂଡ଼ାନ୍ତ ନିଷ୍ପତି ନେବେ ବୋଲି କହିଛନ୍ତି ମନମୋହନ । ରାଜନୈତିକ ସମୀକ୍ଷକ ମଧ୍ୟ ସମାନ କଥା କହିଛନ୍ତି ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ମେଂଟ ହେବ କି ନାହିଁ ସ୍ପଷ୍ଟ ହେଉନାହିଁ । ଏହାର କାରଣ ହେଉଛି, ବିଜେଡି ହେଉ କି ବିଜେପି, ଦୁଇ ଦଳର ଶୀର୍ଷ ନେତୃତ୍ୱ, ଯେଉଁମାନେ ମେଂଟ ସଂପର୍କରେ ପ୍ରକୃତରେ ନିଷ୍ପତି ନେବେ, ସେମାନେ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି । ଯାହା, ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନାକୁ ବଢ଼ାଇବାରେ ଲାଗିଛି । ଏପଟେ ବିଜେଡି-ବିଜେପି ମେଂଟ ପରେ ସେଥିରୁ ଫାଇଦା ଉଠାଇବାକୁ ଅପେକ୍ଷା କରି ରହିଛି ରାଜ୍ୟ କଂଗ୍ରେସ । ଦଳର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, ଦୁଇ ଦଳ କେବେଠାରୁ ଏକାଠି ଅଛନ୍ତି । ରାଜ୍ୟବାସୀଙ୍କୁ ସେମାନେ ବୋକା ଭାବୁଥିବା କହିଛନ୍ତି ବିଜୟ ।

ମେଂଟ ସଂପର୍କରେ ବିଜେପି ଓ ବିଜେଡିର ଶୀର୍ଷ ନେତା, ଚୂଡା଼ନ୍ତ ନିଷ୍ପତି ନେବେ ବୋଲି କୁହାଯାଉଛି । ଅନ୍ୟପଟେ ଖାଲି ପଡିଥିବା ଦୁଇ ଜଣ ନିର୍ବାଚନ କମିସନରଙ୍କୁ ଆଜି ନିଯୁକ୍ତି ଦିଆଯାଇଛି । ଦିନେ କି ୨ ଦିନ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିସନ । ନିର୍ବାଚନ ପାଖେଇ ଆସୁଥିବାରୁ ଖୁବଶୀଘ୍ର ରାଜ୍ୟ ରାଜନୀତିର ସମୀକରଣ ସ୍ପଷ୍ଟ ହେବ ବୋଲି ଆକଳନ କରାଯାଉଛି ।