କନକ ବ୍ୟୁରୋ: ଶାଢ଼ୀର ପରିଚୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପଦ୍ମଶ୍ରୀ । କୋଟପାଡ଼ର ମିରିଗାନି ଶାଢ଼ି, ଯାହା କୋଟପାଡ଼ର ଏକ ସ୍ୱତନ୍ତ୍ର ପରିଚୟ । ଦେଶ ବିଦେଶରେ ଏହାର ଅଧିକା ଚାହିଦା ରହିଛି । ଏବେ ଶାଢ଼ି ପାଇଁ ଆଇନର ଲଢ଼େଇ ଆରମ୍ଭ ହୋଇଛି । କିଛି ଦୁର୍ବୁତ ଏହାର ଡ଼ୁପ୍ଳିକେଟ କରି ବଜାରରେ ବିକ୍ରୀ କରିବା ଆରମ୍ଭ କରିଛନ୍ତି । ଏପରିକି ଅନଲାଇନରେ ମଧ୍ୟ ଏକ ସ୍ୱତନ୍ତ୍ର ଲୋଗରେ ବିକ୍ରୀ ପାଇଁ ଉପଲବ୍ଧ ହେଉଛି । ଯାହାକୁ ନେଇ ଆଇନର ଆଶ୍ରୟ ନେଇଛନ୍ତି ପଦ୍ମଶ୍ରୀ ଗୋବର୍ଦ୍ଧନ ପନିକା ।
ମିରିଗାନି ଶାଢ଼ୀ ଦେଖିବାକୁ ଯେତିକି ସୁନ୍ଦର ପିନ୍ଧିଲେ ତାଠାରୁ ଅଧିକା ସୁନ୍ଦର ଲାଗିଥାଏ । ଗୋଟିଏ ଶାଢ଼ିକୁ ତିଆରି କରିବା ପାଇଁ ୧୫ ଦିନରୁ ପ୍ରାୟ ଏକ ମାସ ସମୟ ଲାଗିଥାଏ । କେବଳ ଶାଢ଼ୀ ନୁହେଁ ଏହା ବ୍ୟତୀତ ଲୁଘିଂ, ଟାୱେଲ, ରୁମାଲ ସହ ଗାମୁଛା ଭଳି ଅନେକ ହାତ ତିଆରି ବସ୍ତ୍ର ବିନା କେମିକାଲରେ ପ୍ରସ୍ତୁତ ହେଉଥିବା ବେଳେ ଏହି ବସ୍ତ୍ର କୋଟପାଡ଼ର ଏକ ପରିଚୟ କହିଲେ ଅତୁକ୍ତି ହେବ ନାହିଁ । ଏଥି ପାଇଁ ଏହି ଅଚଂଳର ବୁଣାକାର ଗୋବର୍ଦ୍ଧନ ପନିକାକୁ ମିଳିଛି ପଦ୍ମଶ୍ରୀ ପୁରସ୍କାର । ଏବେ ଏହି ଶାଢ଼ୀର ଡ଼ୁପ୍ଳିକେଟ କରି କେମିକାଲ ଦେଇ ପଦ୍ମଶ୍ରୀ ଗୋବର୍ଦ୍ଧନ ପନିକାଙ୍କ ନାମରେ ନବରଂଗପୁରର କିଛି ଯୁବକ ଅନଲାଇନ ଓ ଖୋଲା ବଜାରରେ ବିକ୍ରୀ କରୁଛନ୍ତି । ଯାହାକୁ ଅଭିଯୋଗ କରି କୋଟପାଡ଼ ଥାନାରେ ଏତଲା ଦେଇଛନ୍ତି ଗୋବର୍ଦ୍ଧନ ପନିକା ।
ମିରିଗାନି ଶାଢ଼ୀ ପ୍ରାୟ ସମସ୍ତ ଲୋକଙ୍କ ପ୍ରଥମ ପସନ୍ଦ । ଏହାର ଗୁଣବତା ଓ ଡ଼ିଜାଇନ ପାଇଁ ଏହି ଶାଢ଼ି ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ୨୦୦୫ ମସିହାରେ ଏହାକୁ ଜିଆଇ ମାନ୍ୟତା ମଧ୍ୟ ମିଳିଛି । ଚାହିଦା ବଢ଼ୁଥିବା ସମୟରେ କରୋନା କଟକଣା ବାଟ ଓଗାଳିଥିଲା । ଏବେ କରୋନା ହଟିବା ପରେ ବଜାରରେ ଏହାର ଡ଼ୁପ୍ଳିକେଟ ମିଳିବା ନିଶ୍ଚିତ ରୁପେ ବୁଣାକାରଙ୍କ ଜୀବନ ଜିବିକା ଉପରେ ଏକ ବଡ଼ ପ୍ରଭାବ ପଡ଼ିଛି । ଏଭଳି ବିକ୍ରୀ ହେଲେ ମିରିଗାନି ଶଢ଼ୀ ନିଜର ସ୍ୱତନ୍ତ୍ର ପରିଚୟ ହରାଇ ବସିବ । ଏହାକୁ ନିନ୍ଦା କରିବା ସହ ବୁଦ୍ଧିଯିବି କହିଛନ୍ତି ଶଢ଼ୀ ବିକ୍ରୀ କରିବା କିଛି ଆଇନ ବିରୁଧ ନୁହେଁ କିନ୍ତୁ ଜଣଙ୍କ ନାମକୁ ବ୍ୟବହାର କରି ବିକ୍ରୀ କରିବା ଓ ଏହାକୁ କେମିକାଲ ରଙ୍ଗ ଦେଇ ମିରିଗାନି ଶାଢ଼ୀ କହିବା ଦଣ୍ଡନୀୟ ଅପରାଧ । ଏହି ଘଟଣାକୁ ନେଇ କୋଟପାଡ଼ ପୋଲିସ ତଦନ୍ତ କରୁଥିବା କହିଛନ୍ତି ବୋରିଗୁମ୍ମା ଏସଡ଼ିପିଓ ।
Follow Us