ଶବ୍ଦ ପ୍ରଦୂଷଣ ଯୋଗୁ ଚାଲିଗଲା କି ଜୀବନ ? ଡିଜେର ବିକଟାଳ ଶବ୍ଦରେ ୬୩ କୁକୁଡାଙ୍କ ମୃତ୍ୟୁ ଅଭିଯୋଗ, ଥାନାର ଦ୍ୱାରସ୍ତ ହେଲେ ଫାର୍ମ ମାଲିକ

211

କନକ ବ୍ୟୁରୋ : ଶବ୍ଦ ପ୍ରଦୂଷଣ ଯୋଗୁ ଚାଲିଗଲା କି ଜୀବନ । ପ୍ରବଳ ଜୋରରେ ଡିଜେ ବାଜିବା ଯୋଗୁ ୬୩ କୁକୁଡାଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଏନେଇ ଫାର୍ମ ମାଲିକ ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କାଣ୍ଡଗରଡ଼ି ଅଂଚଳରେ । ବିବାହ ଶୋଭାଯାତ୍ରା ବେଳେ ପ୍ରବଳ ଜୋରରେ ଡିଜେ ବାଜିଥିଲା । ଏଥିପାଇଁ ପାଖରେ ଥିବା ଏକ କୁକୁଡ଼ା ଫାର୍ମର ୬୩ କୁକୁଡାଙ୍କ ଜୀବନ ଯାଇଥିବା କୁହାଯାଉଛି ।

ବର ଓ କନ୍ୟା ପକ୍ଷ ଲୋକଙ୍କ ପକ୍ଷରୁ କୌଣସି ସହଯୋଗ ନମିଳିବାରୁ ଶେଷରେ କୁକୁଡା ଚାଷୀ ରଣଜିତ୍ ପରିଡା ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରଣଜିତ କହିଛନ୍ତି, ତାଙ୍କ କୁକୁଡା ଫାର୍ମରେ ୨ ହଜାରରୁ ଅଧିକ କୁକୁଡା ଅଛନ୍ତି । ଫାର୍ମରେ ଥିବା କୁକୁଡାର ଓଜନ ପାଖାପାଖି ୩ କିଲୋ ହେବ । ତାଙ୍କ କୁକୁଡା ଫାର୍ମ ନିକଟରେ ବିବାହ ପ୍ରସେସନରେ ଉଚ୍ଚ ଶବ୍ଦରେ ଡିଜେ ବଜାଇଥିଲେ । ସେ ଏହାକୁ ପ୍ରତିବାଦ କରିବା ସହ ସାଉଣ୍ଡ କମାଇକୁ ଅନୁରୋଧ କରିଥିଲେ । କିନ୍ତୁ ସାଉଣ୍ଡ କମାଇବା ପରିବର୍ତ୍ତେ ବରଯାତ୍ରୀମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଦୀର୍ଘ ସମୟ ଧରି ଫାର୍ମ ନିକଟରେ ଡିଜେ ଅଟକି ରହିବାକୁ ୬୩ଟି କୁକୁଡା ହୃଦଘାତରେ ମୃତ୍ୟବରଣ କରିଛନ୍ତି ।

୬୩ କୁକୁଡାଙ୍କ ମୃତ୍ୟୁ ଯୋଗୁ ୨୫ ହଜାର ଟଙ୍କା କ୍ଷତି ହୋଇଥିବା କହିଛନ୍ତି ଫାର୍ମ ମାଲିକ । କ୍ଷତିପୂରଣ ପାଇଁ ବିବାହ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବ୍ୟକ୍ତିଙ୍କ ସହ ଆଲୋଚନା ହୋଇଥିଲା। କିନ୍ତୁ ସେଥିରୁ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ । ତେଣୁ ସେ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ତେବେ କେଉଁଥିପାଇଁ ଏକାଥରକେ ଏତେ ସଂଖ୍ୟକ କୁକୁଡାଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ ।