କନକ ବ୍ୟୁରୋ: ଅଚେତ ଅବସ୍ଥାରେ କଲେଜ ଛାତ୍ରୀ ଉଦ୍ଧାର । ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ସ୍ଥାନରୁ କଲେଜ ଛାତ୍ରୀଙ୍କୁ ନିଶା ଦେଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଅପହୃତା ଛାତ୍ରୀଙ୍କୁ ୩ ଘଣ୍ଟା କାଳ ଏକ କାରରେ ଅଚେତ ଅବସ୍ଥାରେ ବୁଲାଇ ଶେଷରେ ସାଲେପୁର ଚିତ୍ରୋତ୍ପଳା ନଦୀ ପଠାରେ ଥିବା ଏକ ଆବର୍ଜନା ଗୃହରେ ହାତଗୋଡ ଓ ମୁହଁ ବାନ୍ଧି ଫପାଡ଼ିଦେଇଥିଲେ ଦୁର୍ବୃତ । ସ୍ଥାନୀୟ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ବିଜ୍ଞାନ ବିଭାଗର ଛାତ୍ରୀ । ଛାତ୍ରୀ ଜଣଙ୍କ କଲେଜ ଛୁଟି ପରେ ଘରକୁ ଆସିବା ପାଇଁ ସାଲେପୁର ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । ଏହି ସମୟରେ କିଛି ଦୁର୍ବୃତଙ୍କ ସହ ଜଣେ ଯୁବତୀ ତାଙ୍କୁ ତାଙ୍କ ବାପା ତହସିଲ ଅଫିସ ପଛପଟେ ଅପକ୍ଷା କରିଥିବା କହିଥିଲେ ।

Advertisment

ଛାତ୍ରୀଙ୍କୁ କିଛି ନିଶା ଶୁଂଘାଇ ଜୋରଜବରଦସ୍ତ ଅପହରଣ କରିନେଇଥିଲେ । ଦୀର୍ଘ ସମୟ ଧରି ଛାତ୍ରୀ ଜଣକ ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇନଥିଲେ । ସ୍ଥାନୀୟ ଲୋକ ଛାତ୍ରୀଜଣଙ୍କୁ ଉଦ୍ଧାର କରି ପ୍ରଥମେ ସାଲେପୁର ମେଡ଼ିକାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ସମ୍ପୃକ୍ତ ଛାତ୍ରୀଙ୍କ ମାମୁଁ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି । ତେବେ ଛାତ୍ରୀ ଜଣଙ୍କ କେଉଁ ପରିସ୍ଥିତିରେ ଅଚେତ ହେଲେ । କିଏ ତାଙ୍କୁ ଅପହରଣ କରିଥିଲେ ଓ କାହିଁକି କରିଥିଲେ ତାହାର ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକେ ।