ରାଜଧାନୀରେ ଶିଶୁ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ, ଘର କାମ କରିବା ପାଇଁ ୧୧ବର୍ଷୀୟା ନାବାଳିକାଙ୍କୁ ଆଣି ଦେଉଥିଲେ ନିର୍ଯାତନା, ଉଦ୍ଧାର କଲା ସମାଜ ମଙ୍ଗଳ ସଙ୍ଗଠନ

129

କନକବ୍ୟୁରୋ: ଶିଶୁକନ୍ୟାକୁ ନିର୍ଯାତନା । କଲମ ଧରିବା ବୟସରେ ଘରର କାମ କରୁଥିଲା । ପାଠ ପଢି ଭାଗ୍ୟ ଗଢିବା ବଦଳରେ ପେଟକୁ ଗଣ୍ଡାଏ ଖାଦ୍ୟ ଯୋଗାଡ ପାଇଁ ପର ଘରେ ପାଇଟି କରୁଥିଲା । ହେଲେ ସେତିକିରେ ତା’ଭାଗ୍ୟର ଦୁଃଖ ସରିନାହିଁ । ଶିଶୁ ଶ୍ରମିକଙ୍କୁ କାମ କରାଉଥିବା ମାଲିକ-ମାକିଆଣି ମାଡ ମାରି, ଗରମ ଚେଙ୍କ ଦେଇ ନିର୍ଯାତନାର ଚରମ ସୀମାରେ ପହଂଚିଛନ୍ତି । ରାଜଧାନୀ ଭୁବନେଶ୍ୱରରୁ ସାମ୍ନାକୁ ଆସିଛି ଏଭଳି ଏକ ଅମାନବୀୟ କାଣ୍ଡ ସଂପର୍କୀତ ଖବର । ଗଜପତି ନଗରରେ ରହୁଥିବା ବଳଭଦ୍ର ବାରିକ ଓ ତାଙ୍କ ପତ୍ନୀ କିରଣବାଳା ବାରିକ ଶିଶୁଟିକୁ ମାଡ଼ ମାରିବା ସହ ପ୍ରେସରକୁକରରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି ।

ଶିଶୁ କନ୍ୟାର ପେଟ ଓ ହାତରେ ଚେଙ୍କ ଲାଗିବାରୁ ପୋଡି ଯାଇଛି ।କେବଳ ଏତିକି ନୁହେଁ ବେଲଣା କାଠିରେ ମଧ୍ୟ ମାତ୍ର ୧୧ ବର୍ଷର କୁନି ଝିଅକୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଆଖି ଓ ମୁହଁରେ ଶକ୍ତ ଆଘାତ ଲାଗିବାରୁ ସାଙ୍ଘାତିକ ଭାବେ ଫୁଲି ଯାଇଛି । ପିଲାଟି କାନ୍ଦି କାନ୍ଦି ଜଣେ ପଡୋଶୀଙ୍କୁ ଏ ବାବଦରେ ଜଣାଇବା ପରେ ସେ ତାକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ । ପରେ ଏନେଇ ସିଡିପିଓଙ୍କୁ ଜଣାଇବାରୁ ରୁଚିକା ସମାଜ ମଙ୍ଗଳ ସଂଗଠନର ସଦସ୍ୟମାନେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । ଏବଂ ଏନେଇ ମୈତ୍ରି ବିହାର ଥାନାରେ ଅଭିଯୋଗ କରିଛନ୍ତି ।