ଅସାଧୁ ଉପାୟରେ ଟିଆରପି ଅଧିକ କରି ଦେଖାଉଥିବା ଅଭିଯୋଗ : ତଦନ୍ତ ପରିସରରେ ଥିବା ୨ ମରାଠୀ ଚ୍ୟାନେଲ ମାଲିକଙ୍କୁ ଗିରଫ

ଖୁବଶୀଘ୍ର ରିପବ୍ଲିକ୍ ଟିଭି କର୍ତ୍ତୃପକ୍ଷଙ୍କୁ କରାଯିବ ସମନ୍ ସେପଟେ ରିପବ୍ଲିକ୍ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ଟିଆରପି ହେରଫେର ଅଭିଯୋଗକୁ ଖଣ୍ଡନ କରିଛନ୍ତି 

187

କନକ ବ୍ୟୁରୋ : ଟିଭି ଟିଆରପି ହେରଫେର ନେଇ ତିନିଟି ଟିଭି ଚ୍ୟାନେଲ ବିରୋଧରେ ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୁଲିସ୍  । ମୁମ୍ବାଇ ପୁଲିସ୍ କମିଶନର ପରମବୀର ସିଂ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି  । ତଦନ୍ତ ପରିସରକୁ ଆସିଥିବା ଏହି ୩ଟି ଚ୍ୟାନେଲ ଭିତରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭି ଅଛି  । ଅନ୍ୟ ଦୁଇଟି ଚ୍ୟାନେଲ ହେଲେ ଫକ୍ତ ମରାଠି ଓ ବକ୍ସ ସିନେମା  । ଏହି ଚ୍ୟାନେଲ ଗୁଡ଼ିକ ଅସାଧୁ ଉପାୟରେ ନିଜର ଟିଆରପି ଅଧିକ କରି ଦେଖାଉଥିବା ଅଭିଯୋଗ ହୋଇଛି  । ଟିଆରପି ହେଉଛି ଟେଲିଭିଜନ ରେଟିଂ ପଏଂଟସ୍  । ଏହା ଜରିଆରେ ଗୋଟିଏ ଚ୍ୟାନେଳକୁ କେତେ ଦର୍ଶକ ଦେଖୁଛନ୍ତି, ତାହା ଜଣାପଡ଼ିଥାଏ  ।

ମୁମ୍ବାଇ ପୁଲିସ୍ କମିଶନର କହିଛନ୍ତି ଯେ, ହଂସ ନାମକ ଗୋଟିଏ ସଂସ୍ଥା ଟିଆରପି ହେରଫେରରେ ଏହି ୩ ଚ୍ୟାନେଲକୁ ସହଯୋଗ କରୁଛି  । ମୁମ୍ବାଇରେ ପ୍ରାୟ ୨ ହଜାର ବାରୋମିଟର ଲଗାଯାଇ ଅସାଧୁ ଉପାୟରେ ଟିଆରପି ହେରଫେର କରାଯାଉଥିଲା ବୋଲି କମିଶନର କହିଛନ୍ତି  । ତଦନ୍ତ ପରିସରକୁ ଆସିଥିବା ୨ ମରାଠୀ ଚ୍ୟାନେଲର ମାଲିକଙ୍କୁ ଗିରଫ କରାଯାଇଛି  । ଏହାସହ ଖୁବଶୀଘ୍ର ରିପବ୍ଲିକ ଟିଭିର କର୍ତୃପକ୍ଷଙ୍କୁ ସମନ କରାଯିବ ବୋଲି ସେ କହିଛନ୍ତି  ।

ସେପଟେ ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ଟିଆରପି ହେରଫେର ଅଭିଯୋଗକୁ ଖଣ୍ଡନ କରିଛନ୍ତି  । ଗୋସ୍ୱାମୀ କହିଛନ୍ତି ଯେ, ପାଲଗଡ଼ ସାଧୁ ହତ୍ୟା ଓ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ପରି ପ୍ରସଙ୍ଗରେ ନିଜ ସ୍ୱର ଉଠାଇଥିବାରୁ ମୁମ୍ବାଇ ପୁଲିସ୍ ତାଙ୍କୁ ଓ ତାଂକ ଚ୍ୟାନେଲକୁ ଟାର୍ଗେଟ୍ କରୁଛି  ।