ପ୍ରଦେଶ କଂଗ୍ରେସ ଯୁବ ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କ ବିରୋଧରେ ଆସିଲା ଯୌନଶୋଷଣ ଅଭିଯୋଗ । ପ୍ରେସମିଟ୍ କରି ଅଭିଯୋଗ ଆଣିଲେ ପ୍ରଦେଶ ଯୁବ କଂଗ୍ରେସ ମିଡିଆ ସେଲର ପୂର୍ବତନ ଅଧ୍ୟକ୍ଷ ।

139

କନକ ବ୍ୟୁରୋ: କଂଗ୍ରେସରେ ଦୁଇ ଯୁବ ନେତାଙ୍କ ଭିତରେ ଆରମ୍ଭ ହୋଇଛି କଳି । ଯାହାର ଗୋଟିଏ ପଟରେ ପ୍ରଦେଶ ଯୁବ କଂଗ୍ରେସର ସଭାପତି ସ୍ମୃତି ଲେଙ୍କା ରହିଥିବାବେଳେ ଅନ୍ୟ ପଟରେ ଏବଂ ପ୍ରଦେଶ ଯୁବ କଂଗ୍ରେସ ମିଡିଆ ସେଲର ପୂର୍ବତନ ଅଧ୍ୟକ୍ଷ ନିହାର ରଞ୍ଜନ ବେହେରା ରହିଛନ୍ତି । ଏମାନଙ୍କ ମଧ୍ୟରେ ଶତ୍ରୁତା ଏମିତି ସ୍ତରକୁ ଯାଇଛି , ଯେ ନିହାର ଏକ ପ୍ରେସ ମିଟ କରି ସ୍ମୃତିରଞ୍ଜନଙ୍କ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଓ ପରେ ପ୍ରତାରଣାର ଅଭିଯୋଗ ଆଣିଛନ୍ତି ।

ଅନ୍ୟପଟେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ତାଙ୍କ ବିରୋଧରେ ଏକ ଚକ୍ରାନ୍ତ ବୋଲି କନକ ନ୍ୟୁଜକୁ ଫୋନ ଯୋଗେ ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସର ଯୁବ ସଭାପତି ସ୍ମୃତିରଞ୍ଜନ ଲେଙ୍କା । ଏପରିକି ନିହାର ବେହେରା ଯୁବ କଂଗ୍ରେସର କୌଣସି ପଦପଦବୀରେ ନଥାଇ ତାଙ୍କ ବିରୋଧରେ କାହିଁକି ଅଭିଯୋଗ ଆଣିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । କୌଣସି ଯୁବତୀଙ୍କୁ ସେ ଯୌନ ନିର୍ଯାତନା ଦେଇଥିଲେ, ସେ କାହିଁକି ସାମ୍ନାକୁ ନଆସି ନିହାର ବେହେରା ଅଭିଯୋଗ କରୁଛନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ସ୍ମୃତିରଞ୍ଜନ ।

ଆଗାମୀ ୨୫ ତାରିଖରେ ଭୁବନେଶ୍ୱରରେ ଜାତୀୟ ଯୁବ କଂଗ୍ରେସର ସମାବେଶ ହେବ । ଏଥିରେ ଯୋଗଦେବାକୁ ଜାତୀୟ ଯୁବ କଂଗ୍ରେସ ସଭାପତି ଆସୁଛନ୍ତି । ଏହା ପୂର୍ବରୁ ଜଣେ ଯୁବନେତା ଆଉ ଜଣେ ଯୁବନେତାଙ୍କ ବିଷୟରେ ଏଭଳି ଅଭିଯୋଗ ଆଣିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।