କୁକୁଡା ଓ ୩ ହଜାର ଟଙ୍କା ଲାଞ୍ଚ ନଦେବାରୁ ଆବାସ ହିତାଧିକାରୀ ତାଲିକାରୁ ନାଁ କାଟିଦେଲେ ତଥ୍ୟ ସଂଗ୍ରହକାରୀ ଟିମ୍ । ପାପଡାହାଣ୍ଡି ବିଡିଓଙ୍କ ପାଖରେ ଫେରାଦ ହେଲେ ୧୯ ହିତାଧିକାରୀ ।

239

କନକ ବ୍ୟୁରୋ: ତଦନ୍ତ ପାଇଁ ଆସିଲେ, ଲାଞ୍ଚ ମାଗିଲେ! ଟଙ୍କା ଓ କୁକୁଡା ନଦେବାରୁ ନାଁ କାଟି ଦେଲେ! ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଚନ୍ଦ୍ରପୁର ସଦର ପଞ୍ଚାୟତରୁ । ଅଭିଯୋଗ ଅନୁସାରେ ଚନ୍ଦ୍ରପୁର ପଞ୍ଚାୟତର ୧୩୧ ହିତାଧିକାରୀଙ୍କ ନାମ ଆବାସ ଯୋଜନାର ଏସଇସିସି ତାଲିକାରେ ଥିଲା । ହିତାଧିକାରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ ପାଇଁ ସ୍ଥାନୀୟ ବିଡ଼ିଓ ଏକ ଟିମ ଟିକରାପାଲା ଏବଂ ଅନ୍ୟ ଗାଁକୁ ପଠାଇଥିଲେ ।

ତେବେ ସେହି ଟିମ୍ ତଦନ୍ତ ବେଳେ ହିତାଧିକାରୀଙ୍କୁ ଲାଞ୍ଚ ଆକାରରେ କୁକୁଡା ଓ ୩ ହଜାର ଟଙ୍କା ମାଗିଥିଲେ, ନଚେତ୍ ତାଲିକାରୁ ନାଁ କାଟିଦେବେ ବୋଲି ଧମକ ଦେଇଥିଲେ । ଗରିବ ଶ୍ରେଣୀରୁ ହୋଇଥିବାରୁ ହିତାଧିକାରୀ ଲାଞ୍ଚ ଦେଇ ପାରିନଥିଲେ । ତେଣୁ ଏସଇସିସି ତାଲିକାରୁ ନାଁ କାଟି ଦିଆଯାଇଥିବା ଅଭିଯୋଗ କରି, ପାପଡାହାଣ୍ଡି ବିଡିଓଙ୍କ ପାଖରେ ଫେରାଦ ହୋଇଛନ୍ତି ୧୯ ଜଣ ହିତାଧିକାରୀ ।

ଏସଇସିସି ତାଲିକାରେ ୧୩୧ ଜଣ ହିତାଧିକାରୀଙ୍କ ନାଁ ଥିବା ବେଳେ କେମିତି ୧୯ ଜଣ ହିତାଧିକାରୀ ବାଦ ପଡିଲେ, ତାହା ଜାଣିନଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ । ସେପଟେ ଡିଆରଡିଏ ପ୍ରକଳ୍ପ ଅଧିକାରୀ କହିଛନ୍ତି, ଅଭିଯୋଗ ସତ୍ୟାସତ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବରୁ ଆବାସ ଯୋଜନା ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ନବରଙ୍ଗପୁରରୁ ଆସିଥିବା ଏଭଳି ଅଭିଯୋଗର ତଦନ୍ତ ନିହାତି ଆବଶ୍ୟକ ।