ଅକ୍ସଫୋର୍ଡ଼ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଅଭିଯୋଗ । ୫କୋଟି ଟଙ୍କାର କ୍ଷତିପୂରଣ ଦାବି କଲେ ଯୁବକ

338

କନକ ବ୍ୟୁରୋ : ଅକ୍ସଫୋର୍ଡ଼ ଟିକା ନେବା ପରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା । ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରିବ ସିରମ୍ । ସିରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡ଼ ଟିକାର ପରୀକ୍ଷଣରେ ଭାଗ ନେଇଥିବା ଜଣେ ବ୍ୟକ୍ତି ଗୁରୁତର ଅଭିଯୋଗ ଆଣିଛନ୍ତି । ଚେନ୍ନାଇର ଜଣେ ବ୍ୟକ୍ତି ଟିକା ନେବା ପରେ ତାଙ୍କର ଭୀଷଣ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଏବଂ ସେ ମାନସିକ ରୋଗର ଶିକାର ହୋଇଥିଲେ ବୋଲି ଅଭିଯୋଗ କରିଛନ୍ତି । କ୍ଷତିପୂରଣ ବାବଦରେ ୫କୋଟି ଟଙ୍କା ମଧ୍ୟ ସେ ଦାବି କରିଛନ୍ତି ।

କିନ୍ତୁ ଏହି ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା ଓ ମନଗଢ଼ା ବୋଲି ସିରମ୍ କହିଛି । ସେହି ବ୍ୟକ୍ତି ଜଣଙ୍କ ଯୋଜନାବଦ୍ଧ ଭାବେ ଏଭଳି ଭିତିହୀନ ଅଭିଯୋଗ ଆଣିଛନ୍ତି ବୋଲି ସିରମ୍ ପକ୍ଷରୁ କୁହାଯାଇଛି । ଏପରିକି ତାଙ୍କ ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ ହୋଇଛି ବୋଲି କହିଛି ସିରମ୍ । ଏହା ସହିତ ସିରମ୍ ଇନଷ୍ଟିଚ୍ୟୁଟ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମୋଦ୍ଦମା କରିବ ବୋଲି କହିଛି । ଚେନ୍ନାଇରେ ଅନୁଷ୍ଠିତ ଅକ୍ସଫୋର୍ଡ଼ ଟିକା ପରୀକ୍ଷଣରେ ଭାଗ ନେଇଥିବା ଶତାଧିକ ସ୍ୱେଚ୍ଛାସେବୀଙ୍କ ଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ସିରମ୍ ସ୍ପଷ୍ଟ କରିଛି ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଭିଡ୍ ଟିକା ପ୍ରସ୍ତୁତ କରୁଥିବା ୩ କମ୍ପାନୀ ସହିତ ଆଲୋଚନା କରିବେ । ଏହି ଭର୍ଚୁଆଲ ସମ୍ମିଳନୀରେ ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ-ଇ ଏବଂ ଡକ୍ଟର ରେଡ୍ଡ୍ି ଫର୍ମା ପ୍ରତିନିଧି ଯୋଗଦେବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଭାରତ ବାୟୋଟେକ୍, ସିରମ ଇନଷ୍ଠିଚ୍ୟୁଠ୍ ଏବଂ ଜାଇଡସ୍ କାଡ଼ିଲା ଗସ୍ତ କରି ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

ପ୍ରଧାନମନ୍ତ୍ରୀ ଟିକା ସ୍ଥିତିର ସମୀକ୍ଷା କଲାବେଳେ ଟିକାର ପ୍ରସ୍ତୁତି ଓ ବିକାଶ ନେଇ ଅନେକ କିଛି ପ୍ରଶ୍ନ କରିଥିଲେ । ଟିକା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଜ୍ଞାନ ଜାଣିଲା ପରେ ସିରମ ଇଷ୍ଟିଚ୍ୟୁଟ ସିଇଓ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଟିକାର ପ୍ରତ୍ୟେକ ପର୍ଯ୍ୟାୟ, ପ୍ରସ୍ତୁତି ଏବଂ ପରୀକ୍ଷଣ ବାବାଦରେ ପ୍ରଧାନମନ୍ତ୍ରୀଙ୍କ ଧାରଣା ଥିବାରୁ ତାଙ୍କୁ ବୁଝାଇବା ସହଜ ଥିଲା ବୋଲି ପୁନାବାଲା କହିଥିଲେ । ଆଉ ପୁଣି ଥରେ ଟିକାର ସ୍ଥିତି ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।