ପ୍ରଦେଶ ଯୁବ କଂଗ୍ରେସ ସଭାପତି ବିରୋଧରେ ଯୈାନଶୋଷଣ ଅଭିଯୋଗ । ସ୍ମୃତିରଂଜନ କହିଲେ, ଏହା ମୋ ବିରୋଧରେ ଏକ ଚକ୍ରାନ୍ତ ।

215

କନକ ବ୍ୟୁରୋ: ପ୍ରଦେଶ କଂଗ୍ରେସର ଯୁବ ସଭାପତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଆସାମ ଓ ତ୍ରିପୁରା ଦାୟିତ୍ୱରେ ଥିବାବେଳେ ସ୍ମୃତିରଞ୍ଜନ ଲେଙ୍କା ଅନେକ ଝିଅଙ୍କ ଇଜ୍ଜତ ସହ ଖେଳ ଖେଳିଥିବା ଅଭିଯୋଗ ହୋଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ବାଢିଛନ୍ତି ପ୍ରଦେଶ ଯୁବ କଂଗ୍ରେସ ମିଡିଆ ସେଲର ପୂର୍ବତନ ଅଧ୍ୟକ୍ଷ ନିହାର ବେହେରା । ଏପରିକି ଜଣେ ଯୁବତୀଙ୍କୁ ଦଳୀୟ ପଦପଦବୀରେ ସ୍ଥାନ ଦେବାକୁ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବା ପରେ ପ୍ରତାରଣ କରିଥିବା ଅଭିଯୋଗ କରିଛନ୍ତି ନିହାର ।

ଏ ସଂପର୍କିତ କେତେକ ମୋବାଇଲ ବାର୍ତାଳାପ, ହ୍ୱାଟ୍ସଆପ ଚାଟ୍ରୁ ଆରମ୍ଭ କରି ଅନ୍ତରଙ୍ଗ ମୁହୂର୍ତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ଆଗାମୀ ୨୫ ତାରିଖରେ ହେବାକୁ ଥିବା ଜାତୀୟ ଯୁବ କଂଗ୍ରେସ ସମାବେଶରେ ଯୋଗଦେବାକୁ ଜାତୀୟ ଯୁବ କଂଗ୍ରେସ ସଭାପତି ଆସୁଥିବାବେଳେ ସ୍ମୃତିରଞ୍ଜନଙ୍କ ବିରୋଧରେ ତାଙ୍କ ଆଗରେ ଫେରାଦ ହେବେ ବୋଲି କହିଛନ୍ତି ନିହାର ।

ଅନ୍ୟପଟେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ତାଙ୍କ ବିରୋଧରେ ଏକ ଚକ୍ରାନ୍ତ ବୋଲି କନକ ନ୍ୟୁଜକୁ ଫୋନ ଯୋଗେ ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସର ଯୁବ ସଭାପତି ସ୍ମୃତିରଞ୍ଜନ ଲେଙ୍କା । ଏପରିକି ନିହାର ବେହେରା ଯୁବ କଂଗ୍ରେସର କୌଣସି ପଦପଦବୀରେ ନଥାଇ ତାଙ୍କ ବିରୋଧରେ କାହିଁକି ଅଭିଯୋଗ ଆଣିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । କୌଣସି ଯୁବତୀଙ୍କୁ ସେ ଯୌନ ନିର୍ଯାତନା ଦେଇଥିଲେ, ସେ କାହିଁକି ସାମ୍ନାକୁ ନଆସି ନିହାର ବେହେରା ଅଭିଯୋଗ କରୁଛନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ସ୍ମୃତିରଞ୍ଜନ ।