ବରଗଡ଼ରୁ ଆସିଲା ହାଜତ ମୃତ୍ୟୁର ଅଭିଯୋଗ । ରାସ୍ତା ଉପରେ ଶବ ରଖିବାରୁ ପୁଲିସ କଲା ଲାଠିଚାର୍ଜ ।

126

କନକ ବ୍ୟୁରୋ: ବରଗଡ ହାଜତ ମୃତ୍ୟୁ ଅଭିଯୋଗରେ ଆଜି ସୃଷ୍ଟି ହୋଇଥିବା ଉତ୍ତେଜନା ଓ ପୋଲିସର ଲାଠି ଚାର୍ଜ ଘଟଣାର ତଦନ୍ତ କରାଯିବ । ଏନେଇ ଶନିବାର ପଶ୍ଚିମାଞ୍ଚଳ ଡିଆଇଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସ୍ଥିତି ସମୀକ୍ଷା ପରେ ଏନେଇ ଡିଆଇଜି ନିଜର ପ୍ରତିକ୍ରିୟା ରଖିଛନ୍ତି ।

ତେବେ ଶନିବାର ବରଗଡ଼ ଖୋଦାପାଲିରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ରାସ୍ତାରେ ପଡିରହିଥିଲା ଗୋଟିଏ ମୃତଦେହ । ଏହି ମୃତଦେହକୁ ନେଇ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ, ଆଉ ପୋଲିସ ବିରୋଧରେ ହୋଇଥିଲା ନାରାବାଜି । ଏପରିକି ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ଉଠାଇଥିଲେ ସାଧାରଣ ଲୋକ । ଆଉ ଶେଷରେ ପରିସ୍ଥିତିକୁ ସାମାନ୍ୟ କରିବାକୁ ପୋଲିସ କରିଥିଲା ଲାଠିମାଡ ।

କାହିଁକି ବରଗଡ ରାସ୍ତାରେ ନିଆଁ ଜଳିଲା, ତାହାର କାରଣ ଆହୁରି ଆଶ୍ଚର୍ଯ୍ୟଜନକ । ଦଙ୍ଗା ଅଭିଯୋଗରେ ବରଗଡ଼ ଟାଉନ୍ ଥାନା ତୁରା ଗାଁର ଗୋବିନ୍ଦ କୁମ୍ଭାରଙ୍କୁ ରାତି ୩ଟାରେ ଘରୁ ଉଠାଇ ନେଇଥିଲା ପୋଲିସ । ଏହାପରେ ତାଙ୍କୁ ଥାନାରେ ରଖାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଖେଦାପାଲି ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ତାଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରି ମୃତକଙ୍କ ସଂପର୍କୀୟ ଡାକ୍ତରଖାନାରେ ଭଙ୍ଗାରୁଜା କରିଥିଲେ ।

ଏହାପରେ ନ୍ୟାୟ ଦାବିରେ ହସ୍ପିଟାଲ ଛାତ ଉପରକୁ ପ୍ରଥମେ ଚଢିଯାଇଥିଲେ ମୃତକଙ୍କ ସଂପର୍କୀୟ । ଯାହାକୁ ନେଇ ଖେଦାପାଲି ମୁଖ୍ୟ ଡାକ୍ତରଖାନାରେ କିଛି ସମୟ ପାଇଁ ହାଇଡ୍ରାମା ଦେଖିବାକୁ ମିଳିଥିଲା । ପୋଲିସ ଗୋବିନ୍ଦଙ୍କୁ ପିଟି ପିଟି ମାରି ଦେଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ହାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ହେବା ପରେ ପୁଲିସ ଉପରେ ଉଠିଛି ପ୍ରଶ୍ନବାଚୀ । ଅଭିଯୁକ୍ତଙ୍କ ମୃତ୍ୟୁ ପରେ ପୁଲିସ, ଏବଂ ଅନ୍ୟ କର୍ତ୍ତୃପକ୍ଷଙ୍କ ସହ ପରିବାର ସଦସ୍ୟ ଯେତେବେଳେ ଆଲୋଚନା କରିବାକୁ ଚେଷ୍ଟା କରିଥିଲେ, ସେମାନଙ୍କ କଥା କେହି ଶୁଣୁନଥିଲେ । କରୋନା ଆଳ ଦେଖାଇ ପରିବାର ସଦସ୍ୟଙ୍କୁ ଅସୁସ୍ଥଙ୍କ ସହ ଯିବାକୁ ସୁଯୋଗ ବି ଦେଇନଥିଲେ ପୁଲିସ ଅଧିକାରୀ । ତେବେ ଏହି ପୂରା ଘଟଣାରେ ଅନେକ ପ୍ରଶ୍ନ ଉଠିଛି ।

  • ସୁସ୍ଥ ଥିବା ଗୋବିନ୍ଦ ହଠାତ୍ କେମିତି ଅସୁସ୍ଥ ହୋଇ ପଡିଲେ?
  • ପୁଲିସ ବାଡେଇ ବାଡେଇ ଗୋବିନ୍ଦଙ୍କୁ ମାରିଦେଇଛି କି?
  • ବରଗଡ ଟାଉନ ଥାନା ଅଧିକାରୀଙ୍କ ବିରୋଧରେ ହେବ କି ତଦନ୍ତ?