ରାଜଧାନୀରେ ଅଙ୍ଗ ଚୋରି ଅଭିଯୋଗ । ମର ଶରୀରରୁ କିଡନୀ କାଢି ନିଆଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ ।

96

କନକ ବ୍ୟୁରୋ: ଭୁବନେଶ୍ୱରର କେଳୁ ଚରଣ ରାଉରାୟ । ନିଖୋଜ ହେବାର ୬ଦିନ ଦିନ ପରେ ନିଆଳି ଓଲଟପୁରର ଏକ ବିଲ ଭିତରୁ ତାଙ୍କ ମୃତ ଦେହ ମିଳିବା, ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କିନ୍ତୁ ମୃତ ଦେହ ମିଳିବା ପରେ, କେଳୁ ଚରଣଙ୍କ ପରିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି । ପେଟରେ କଟା ଦାଗ ଥିବାରୁ ତାଙ୍କ କିଡନୀ କାଢ଼ି ନିଆଯାଇଥିବା ଓ ଆଖିକୁ ବାହାର କରି ନିଆଯାଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ ।

  • ରାଜଧାନୀରେ ଅଙ୍ଗ ଚୋରି ଅଭିଯୋଗ
  • କିଡନୀ ଓ ଆଖି କାଢ଼ି ନିଆଯାଇଥିବା କହିଲେ ସମ୍ପର୍କୀୟ

ପରିବାର ଲୋକଙ୍କ କହିବା ଅନୁସାରେ, ଗତ ୧୨ ତାରିଖରେ କେଳୁଚରଣ, ପୁରୁଣା ଭୁବନେଶ୍ୱରର ଏକ ଛକରେ ବସିଥିଲା ବେଳେ ହଠାତ୍ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ । ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିଲେ । ଏହାପରଠୁ ତାଙ୍କର କୌଣିସ ଖୋଜ ଖବର ମିଳିନଥିଲା । ଡାକ୍ତରଖାନାରୁ ତାଙ୍କର କୌଣସି ଖୋଜ ଖବର ନପାଇବା ପରେ କ୍ୟାପିଟାଲ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏହାକୁ ସେଭଳି ଗୁରୁତର ସହ ନେଇନଥିଲା । ଏବେ ଏତେ ଦୂରରୁ ତାଙ୍କର ମୃତ ଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଛି ।ତାଙ୍କୁ ହତ୍ୟା କରାଯିବା ସହ କିଡନୀ ଚୋରି କରାଯାଇଥିବା ସନ୍ଦେହ କରିଛନ୍ତି ସମ୍ପର୍କୀୟ । ତେବେ ପୋଲିସ କହିଛି, ପରିବାର ପକ୍ଷରୁ ଥାନାରେ ଦିଆଯାଇଥିବା ଅଭିଯୋଗରେ ଏ ସମ୍ପର୍କରେ କିଛି ଉଲେଖ କରାଯାଇ ନଥିଲା ।

ଏସବୁ ଭିତରେ ଆଜି ମୃତକଙ୍କ ଶବ ବ୍ୟବଛେଦ ହୋଇଛି । ଶବ ବ୍ୟବଛେଦ ରିପୋର୍ଟ ଆସିଲେ ହୁଏତ ଅଭିଯୋଗର ସତ୍ୟତା କେତେ ରହିଛି ତାହା ସ୍ପଷ୍ଟ ହେବ । ତେବେ ପ୍ରଶ୍ନ ଉଠୁଛି, ଭୁବନେଶ୍ୱରରୁ ନିଖୋଜ ହୋଇଥିବା କେଳୁ ଚରଣଙ୍କ କେମିତି ହେଲା ମୃତ୍ୟୁ? ଆମ୍ବୁଲାନ୍ସରେ ଡାକ୍ତରଖାନା ଯାଇଥିବା ବେଳେ କିଭଳି ଓଲଟପୁରକୁ ଗଲେ? ହସ୍ପିଟାଲକୁ କାହା ସହିତ ଓ କେଉଁ ଆମ୍ବୁଲାନ୍ସରେ ଯାଇଥିଲେ କେଳୁଚରଣ? କିଡନୀ ଚୋରିର ସତ କଣ?