ଶିକ୍ଷୟିତ୍ରୀଙ୍କ ନାଁରେ ଟଙ୍କା ଠକେଇ ଅଭିଯୋଗ: ୧କୋଟି ୬୫ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ଆଣିଲେ ସୋସାଇଟି ସଦସ୍ୟ

293

କନକ ବ୍ୟୁରୋ: ହଜାରେରୁ ଅଧିକ ମହିଳାଙ୍କ ଠାରୁ ଜଣେ ଶିକ୍ଷୟିତ୍ରୀ ୧ କୋଟି ୬୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ । ଏନେଇ ଅସ୍ତରଙ୍ଗ ଥାନାରେ ସୁନ୍ଦର ଗ୍ରାମର ସବିତା ଓଝା ନାମକ ଜଣେ ମହିଳା ଶିକ୍ଷୟିତ୍ରୀଙ୍କ ନାଁରେ ଏତଲା ଦିଆଯାଇଛି । ଅନ୍ୟପଟେ ଲିଖିତ ଅଭିଯୋଗ କରିବା ସହ ଟଙ୍କା ହରାଇଥିବା ମହିଳାମାନେ ଥାନା ପରିସରରେ ଧାରଣା ଦେଇଥିଲେ । ଅଭିଯୋଗ ପାଇବା ପରେ ଶିକ୍ଷୟିତ୍ରୀଙ୍କୁ ଥାନାକୁ ଡାକି ପୋଲିସ ପଚରାଉଚରା କରି ଛାଡି ଦେଇଛି । କୁହାଯାଉଛି ଗ୍ରାମବାସୀ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଟଙ୍କା ପରିଶୋଧ ନେଇ ଆପୋଷ ବୁଝାମଣା ହେବା ପରେ ପୋଲିସ ଛାଡି ଦେଇଛି । ରାଇବେରୁଆଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସବିତା ଓଝା ପ୍ରାୟ ୧ ହଜାର ମହିଳାଙ୍କୁ ନେଇ ସୋସାଇଟି ଗଠନ କରିଥିଲେ । ଏହାପରେ ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ ମହିଳାଙ୍କ ଠାରୁ ୧ କୋଟି ୬୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ହଜାର ହଜାର ମହିଳାଙ୍କ କଷ୍ଟ ଅର୍ଜିତ ଟଙ୍କାକୁ ଆତ୍ମସାତ କରିଥିବା ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳାମାନେ ଦାବି କରିଛନ୍ତି ।