କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷାର ସବୁପ୍ରକାର ବିଭ୍ରାଟ ଧରିବ ଏଆଇ କ୍ୟାମେରା । ପରୀକ୍ଷା ପୂର୍ବରୁ ଏମିତି କେତେ କଣ ପ୍ରତିଶ୍ରୁତି ଦେଇଥିଲେ ବୋର୍ଡ କର୍ତୃପକ୍ଷ । କିନ୍ତୁ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ବୋର୍ଡର ପିଛା ଛାଡୁନି । ଇଂରାଜୀ ପରେ କେନ୍ଦୁଝରରୁ ଆସିଛି ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ । କୁହାଯାଉଛି, ଯେଉଁ ପ୍ରଶ୍ନପତ୍ର ଓ ଉତର ସିଟ୍ ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଘୁରି ବୁଲୁଥିଲା, ତାହା ପରୀକ୍ଷାରେ ପଡିଥିବା ଗୋଟିଏ ସେଟ୍ ସହ ମେଳ ଖାଇଯାଉଛି । ତେବେ ଏହାର ତଦନ୍ତ କରିବା ପରିବର୍ତେ ଅଜବ ଯୁକ୍ତି ବାଢିଛନ୍ତି ବୋର୍ଡ କର୍ତୃପକ୍ଷ । କହିଛନ୍ତି, ଏହା ଗଣମାଧ୍ୟମର ମନଗଢ଼ା କାହାଣୀ ।

Advertisment

କେନ୍ଦୁଝର ଜିଲ୍ଲାରେ ମାଟ୍ରିକ ଗଣିତ ପରୀକ୍ଷା ପୂର୍ବରୁ ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଆସିଛି ଅଭିଯୋଗ । ଭାଇରାଲ ହୋଇଥିବା ପ୍ରଶ୍ନ ଓ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନ, ସମାନ ବୋଲି କହିଛନ୍ତି ପରୀକ୍ଷାତ୍ରୀ । ଅଭିଯୋଗ ହୋଇଛି ଯେ ପରୀକ୍ଷା ପୂର୍ବରୁ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲା ଗଣିତ ପ୍ରଶ୍ନ ପତ୍ର ଓ ଏହାର ଉତର । କିନ୍ତୁ ଏହାକୁ ଗୁରୁତର ସହ ନେଇ ନଥିଲେ କର୍ତୃପକ୍ଷ । ତେବେ ପରୀକ୍ଷା ଶେଷ ହେବା ପରେ ଗୋଟିଏ ସେଟ୍ର ପ୍ରଶ୍ନପତ୍ର ସହ ଭାଇରାଲ୍ ହୋଇଥିବା ପ୍ରଶ୍ନ ମେଳ ଖାଉଥିବା ନେଇ ଅଭିଯୋଗ ହୋଇଥିଲା ।

ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗ ଖବର ପ୍ରସାରଣ ପରେ ଏହାକୁ ଖଣ୍ଡନ କରିଛି ବୋର୍ଡ । ଏହା ଗଣମାଧ୍ୟମର ମନଗଢ଼ା କାହାଣୀ ବୋଲି କହି ଦୋଷ ଖସାଇବାକୁ ଲାଗିପଡିଛନ୍ତି କର୍ତୃପକ୍ଷ । କୋଶ୍ଚିନ ଲିକ୍ ନେଇ ତଦନ୍ତ କରିବା ବଦଳରେ ଉଭୟ ବୋର୍ଡ ସଭାପତି ଓ ଉପସଭାପତିଙ୍କ ଅଜବ ଯୁକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେମାନେ କହିଛନ୍ତି, ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ନେଇ କୌଣସି ଅଭିଯୋଗ ଆସିନି । ଆଉ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି ପରୀକ୍ଷା ।

ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଗୋଟିଏ ପଟେ ବୋର୍ଡ କର୍ତ୍ତୃପକ୍ଷ ଖାମଖିଆଲି ମନୋଭାବ ପୋଷଣ କରୁଛନ୍ତି । ଅନ୍ୟପଟେ ଏହା ପରୀକ୍ଷାର୍ଥୀଙ୍କ ଉପରେ ପ୍ରଭାବ ପକାଉଛି । ପରୀକ୍ଷା ବେଳେ ସେମାନଙ୍କୁ ଚାପଗ୍ରସ୍ତ କରାଉଛି ।

କେନ୍ଦୁଝର ଜିଲ୍ଲାରୁ ହିଁ ମାଟ୍ରିକ ଇଂରାଜୀ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା । ପ୍ରଶ୍ନପତ୍ର କିପରି ଲିକ୍ ହେଲା, ଏହାର ଜବାବ ମାଗିବା ସହ ଗତକାଲି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବାସଭବନ ଘେରିଥିଲା ଏବିଭିପି ଏବଂ ଛାତ୍ର କଂଗ୍ରେସ । ପୁଣି ଏବେ ସେହି କେନ୍ଦୁଝରରୁ ଗଣିତ ପରୀକ୍ଷା ପ୍ରଶ୍ନ ଆଗୁଆ ପ୍ରଘଟ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକ ଚିନ୍ତାପ୍ରକଟ କରିଛନ୍ତି । ତଦନ୍ତ ନକରି ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ବୋର୍ଡ ବାଏଁ ବାଏଁ ଉଡାଇଦେବା ଘଟଣାକୁ ମଧ୍ୟ କେହି ଗ୍ରହଣ କରି ପାରୁନାହାନ୍ତି । ପ୍ରଶ୍ନ ଉଠୁଛି,
ପ୍ରଶ୍ନପତ୍ର ଲିକ୍ର ବିଧିବଦ୍ଧ ତଦନ୍ତ କାହିଁକି କରାଯାଉନାହିଁ?
ତଦନ୍ତ ନକରି ତରବରିଆ ଭାବେ କାହିଁକି ମତାମତ ଦେଉଛନ୍ତି ବୋର୍ଡ କର୍ତ୍ତୃପକ୍ଷ?
ଯଦି ଅଭିଯୋଗ ସତ ହୋଇଥାଏ, ତେବେ କିଏ ରହିବ ଦାୟୀ?