କନକ ବ୍ୟୁରୋ: ରାଜଧାନୀରେ ବନ୍ଧୁକ ମୁନରେ ଅପହରଣ । ଘରୋଇ ଆପାର୍ଟମେଂଟର ସିକୁରୁଟି ସୁପରଭାଇଜରଙ୍କୁ ବନ୍ଧୁକ ମୁନରେ ଉଠାଇ ନେଲେ ଦୁବୃର୍ତ । ସକାଳ ୬ଟା ସମୟରେ ଡ୍ୟୁଟି ବଦଳ ହେଉଥିବା ସମୟରେ ସିକୁରିଟି ସୁପରଭାଇଜରଙ୍କୁ ଆଖିରେ ଲଙ୍କାଗୁଣ୍ଡ ପକାଇ ମାରଣାସ୍ତ୍ର ଦେଖାଇ, ମାଡ ମାରି ଦୁବୃର୍ତ ଅପହରଣ କରିନେଇଥିଲେ । ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଂଚଳରେ ଘଟଥିଲା ଏପରି ଘଟଣା । ସିସିଟିଭି ଫୁଟେଜ ଜବତ କରି ତଦନ୍ତ କରୁଛି ପୋଲିସ । ସୂଚନା ଅନୁଯାୟୀ, ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ହାଇଟେକ୍ ପ୍ଲାଜାର ସିକ୍ୟୁରିଟି ସୁପରଭାଇଜର କୈବଲ୍ୟ ପଟ୍ଟନାୟକଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କର ଅଭିଯୋଗ ମୁତାବକ ଆଜି ଭୋର ସାଢେ ୬ଟା ବେଳେ ଜଣେ ଯୁବକ କୈବଲ୍ୟ ପଟ୍ଟନାୟକଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଓ ଖଣ୍ଡା ଦେଖାଇ ତାଙ୍କୁ ଅପହରଣ କରି ନେଇଥିଲେ।
ଉକ୍ତ ଅପହରଣକାରୀ ଗତକାଲି ବିଳମ୍ବିତ ରାତିରେ ହାଇଟେକ୍ ପ୍ଲାଜା ଭିତରକୁ ଜୋର ଜବରଦସ୍ତ ପଶିବାକୁ ଚେଷ୍ଟା କରିଥିଲେ। ଏଥିନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ସେହି ସମୟରେ ପ୍ଲାଜାରେ ରହୁଥିବା କେତେକ ଲୋକ ବି ଉଠି ଆସିଥିଲେ। ଏହାପରେ ଉକ୍ତ ଯୁବକ ସ୍ଥାନ ଛାଡ଼ି ଚାଲିଯାଇଥିଲେ। ହେଲେ ଆଜି ସକାଳେ ପ୍ରତିଶୋଧପରାୟଣ ହୋଇ ସେ କୈବଲ୍ୟ ପଟ୍ଟନାୟକଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଓ ଖଣ୍ଡା ଦେଖାଇ ତାଙ୍କୁ ଅପହରଣ କରି ନେଇଥିଲେ।