ଦ୍ୱିତୀୟ ଦିନରେ ବି ଅଶାୟୀଙ୍କ ଧାରଣା: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

153

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଦ୍ୱିତୀୟ ଦିନରେ ଜାରି ରହିଛି ଚାକିରି ଆଶାୟୀ ଆନ୍ଦୋଳନ । କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇଛି । କାହାର କେତେ ମାର୍କ ଅଛି, ତାହା ଜାଣିବା ପାଇଁ ଶହଶହ ଚାକିରୀ ଆଶାୟୀ ଲୋୟର ପିଏମ୍ଜିରେ ଧାରଣା ଦେଇଛନ୍ତି । ସେପଟେ ଏହାକୁ ନେଇ ସଫେଇ ରଖିଛି ଓସେପା । କର୍ତୁପକ୍ଷ କହିଛନ୍ତି ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଏ ଆଡମିଟ୍ କାର୍ଡ ।

ବର୍ଷ ବର୍ଷ ଧରି ପାଠ ପଢ଼ିଲେ, ପ୍ରସ୍ତୁତି କଲେ, କିନ୍ତୁ ପରୀକ୍ଷା ଦେବା ପରେ ଫଳ ଆସିଲା ଓଲଟା । କମ୍ ମାର୍କ ରଖିଥିବା ପିଲାଙ୍କ ନାଁ ଯୋଗ୍ୟ ତାଲିକାରେ ରହିଲା, ହେଲେ, ଅଧିକ ନମ୍ବର ରଖିଥିବା ପିଲାଙ୍କ ନାଁ ତାଲିକାରେ ନାହିଁ । କନିଷ୍ଠ ଶିକ୍ଷକ ପଦରେ ଚାକିରୀ କରିବା ପାଇଁ ଆଶାୟୀ ଥିବା ପରୀକ୍ଷାର୍ଥ ଏମିତି ଅଭିଯୋଗ ଆଣିବା ସହ ଦୁଇ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି । ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଶତାଧିକ ଆଶାୟୀ ଧାରଣା ଦେଇଛନ୍ତି ।

ଶିକ୍ଷକ ନିଯୁକ୍ତିରେ ଅନିୟମିତତା ହୋଇଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିବା ପରେ, ଆରମ୍ଭ ହୋଇଯାଇଛି ରାଜନୀତି । ଏଭଳି ନିଯୁକ୍ତି କିଏ ଦେଉଛି ଓ କେଉଁ ଭଳି ପ୍ରକ୍ରିୟାରେ ନିଯୁକ୍ତି ହେଉଛି ବୋଲି ପ୍ରଶ୍ନ ଉଠାଇଛି ବିଜେପି ।

ନିଯୁୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିବା ପରେ ସଫେଇ ରଖିଛନ୍ତି ଓସେପା କର୍ତୁପକ୍ଷ । ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି, ଯୋଗ୍ୟ ବ୍ୟକ୍ତିଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଥାଏ । ଆବେଦନକାରୀ ଦାଖଲ କରିଥିବା ସୂଚନା ଆଧାରରେ ଆପେ ଆପେ ଆଡମିଟ୍ କାର୍ଡ ତିଆରି ହୋଇଥାଏ । କିନ୍ତୁ ଦିଆଯାଇଥିବା ଆଡମିଟ୍ କାର୍ଡ କୌଣସି ପ୍ରାମାଣିକ ଦସ୍ତାବିଜ୍ ନୁହେଁ କି ପରୀକ୍ଷା ହଲକୁ ପ୍ରବେଶ ପାଇଁ ପ୍ରତିଶ୍ରୁତି ମଧ୍ୟ ନୁହେଁ । ଓସେପା କେବଳ ଡ୍ରାଫ୍ଟ ମେରିଟ୍ ଲିଷ୍ଟ ପ୍ରକାଶ କରିଛି । ସମସ୍ତ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍ ଯାଂଚ କରାଯିବ ଏବଂ ସମସ୍ତ ଅଯୋଗ୍ୟ ପ୍ରାର୍ଥୀଙ୍କୁ ତାଲିକାରୁ ହଟାଇ ଦିଆଯିବ ।

୨୦ହଜାର କନିଷ୍ଠ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ମାତ୍ର ୧୮ ହଜାର ୭୮୮ଜଣ ପ୍ରାର୍ଥୀଙ୍କ ନାଁ ତାଲିକାରେ ପ୍ରକାଶ ପାଇଛି । ଏଥିସହ କେତେକ ନକଲି ନାଁରେ ଆଡମିଟ୍ କାର୍ଡ ଆସିଥିବା ଜଣାପଡିବା ପରେ ନିଯୁକ୍ତି ପ୍ରକ୍ରିୟାରେ ତ୍ରୁଟି ରହିଥିବା ସନ୍ଦେହ କରାଯାଉଛି ।