ଆବାସ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ । ଅଯୋଗ୍ୟଙ୍କୁ ଘର ମିଳୁଥିବାବେଳେ, ଚାଳ ଛପର ଘରେ ରହୁଛନ୍ତି ଯୋଗ୍ୟ ହିତାଧିକାରୀ

72

କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ଅନ୍ତେଇ ପଞ୍ଚାୟତ ପାଇଲୋ ଗାଁର ଅଭୟ ସାହୁ । ଚାଳ ଛପର ଘରେ ରହୁଥିବା ଅଭୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଟିଏ ପାଇଁ ପଞ୍ଚାୟତ ଅଫିସରୁ ବ୍ଲକ ଅଫିସ ଧାଇଁ ଧାଇଁ ନୟାନ୍ତ ହେଲେଣି । ହେଲେ ତାଙ୍କୁ ଘର ମିଳୁନାହିଁ  କିନ୍ତୁ ଆରଟିଆଇ ତଥ୍ୟରୁ ଜଣାପଡିଛି, ତାଙ୍କର କୋଠା ଘର ଅଛି । ତେବେ ଏଠି ପ୍ରଶ୍ନ ଉଠୁଛି, ଛପର ଘରେ ରହୁଥିବା ଲୋକର କୋଠା ଆସିଲା କେଉଁଠୁ? କିଏ, କେମିତି ତଦନ୍ତ କରି କୋଠା ଅଛି ବୋଲି ସରକାରୀ ଖାତାରେ ଲେଖିଲା? ଅଭୟଙ୍କ ଘଟଣା ଆବାସ ଅବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି ।

ଆବାସ ଅବ୍ୟବସ୍ଥାକୁ ବିରୋଧ କରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି ହିତାଧିକାରୀ । ସରକାର ଦସ୍ତାବିଜ୍ରେ ଭୁଲ ତଥ୍ୟ ଲେଖି, ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଉଥିବା ଅଭିଯୋଗ କରି ଅନଶନରେ ବସିଛନ୍ତି ଅଭୟ ସାହୁ ଓ ଅନ୍ୟ ହିତାଧିକାରୀ । ଅଭୟଙ୍କ ପରିବାର ଚାଳଛପର ଘରେ ରହୁଥିବା ବେଳେ ମୁଲ ଲାଗି ପେଟ ପୋଷନ୍ତି । ହେଲେ ସରକାରୀ ଖାତାରେ ତାଙ୍କର କୋଠା ଘର ଥିବା ଦର୍ଶାଯାଇଥିବାରୁ ସେ ଆବାସ ଯୋଜନାରୁ ବଞ୍ଚିିତ ହୋଇଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି ।

ସେହିପରି ଅନ୍ତେଇ ପଞ୍ଚାୟତର ଅନେକ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିିତ ହୋଇଛନ୍ତି । ହିତାଧିକାରି ଚୟନ ପାଇଁ ଆସୁଥିବା ଅଧିକାରୀ ସଠିକ୍ ଢଙ୍ଗରେ ଅନୁଧ୍ୟାନ କରୁନାହାନ୍ତି । ଫଳରେ ୨ ବର୍ଷ ତଳୁ ମରି ସାରିଥିବା ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଉଥିବା ବେଳେ ଗରିବ ଖଟିଖିଆ ଘଟଟିଏ ପାଉନଥିବା ଅଭିଯୋଗ ଅନଶନର ବାଟ ବାଛି ନେଇଛନ୍ତି ଯୋଗ୍ୟ ହିତାଧିକାରୀ । ତେବେ ଅନ୍ତେଇ ପଞ୍ଚାୟତରେ ଆବାସ ଦୁର୍ନୀତିର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଯୋଗ୍ୟ ବ୍ୟକ୍ତିଙ୍କୁ ଘର ଯୋଗାଇ ଦେବାକୁ ଦାବି ହୋଇଛି ।