ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଥାନାରେ ଏତଲା ପରେ ବି ଅଭିଯୁକ୍ତକୁ ଗିରଫ କରୁନି ଫୁଲବାଣୀ ପୋଲିସ

90

କନକ ବ୍ୟୁରୋ : ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଫୁଲବାଣୀରେ ବେକାର ଯୁବକ ଯୁବତୀ ଓ ମହିଳାଙ୍କୁ ଚାକିରି ଦେବାକୁ କହି ଜଣେ ବ୍ୟକ୍ତି ଟଙ୍କା ଠକି ନେଇଥିବା ନେଇ ଟାଉନ ଥାନାରେ ଏତଲା ହୋଇଛି । କିନ୍ତୁ ପୋଲିସ ଅଭିଯୁକ୍ତକୁ ଗିରଫ କରୁ ନଥିବାରୁ ଏନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଠକେଇର ଶିକାର ହୋଇଥିବା ବ୍ୟକ୍ତି ।

ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନନେଲେ ଆତ୍ମାହୁତି ଦେବାକୁ ସେମାନେ ଚେତାବନୀ ଦେଇଛନ୍ତି । କନ୍ଧମାଳ ଜିଲ୍ଲାର ବିଭିନ୍ନ ବିଭାଗରେ ସଫେଇ ଏବଂ ଆଟେଣ୍ଡାଣ୍ଟ ନିଯୁକ୍ତି ପାଇଁ ୨୦୨୨ ମସିହାରେ ଏକ ସଂସ୍ଥାକୁ ନିୟୋଜିତ କରାଯାଇଥିଲା । ସେହି ସଂସ୍ଥାର ଜଣେ କର୍ମଚାରୀ ରାକେଶ ମହାନ୍ତିି ଅନେକ ଯୁବକ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଥିଲେ ବି ନକଲି ନିଯୁକ୍ତିପତ୍ର ଦେଇ ଠକିଥିବା ଅଭିଯୋଗ ହୋଇଛି । ଏନେଇ ସଂସ୍ଥାର ମାଲିକଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି କଥା ଶୁଣ ନଥିବା କହିଛନ୍ତି ଅଭିଯୋଗକାରୀ । ତେଣୁ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ଟଙ୍କା ଫେରସ୍ତ ପାଇଁ ଦାବି କରିଛନ୍ତି ଠକାମୀର ଶିକାର ବ୍ୟକ୍ତି ।