ରାଜଧାନୀରେ ଅବକାରୀ ନିୟମକୁ ଖୋଲାଖୋଲି ଉଲ୍ଲଘଂନ ଅଭିଯୋଗ: ରାତି ତମାମ ନାଚ ଗୀତର ଆସର ଜମାଇ ଭୋର ପର୍ଯ୍ୟନ୍ତ ଚାଲୁଛି ବାର

108

କନକ ବ୍ୟୁରୋ: ରାଜଧାନୀରେ ଅବକାରୀ ନିୟମକୁ ଖୋଲାଖୋଲି ଉଲ୍ଲଘଂନ ଅଭିଯୋଗ ଆସିବା ପରେ ଆକ୍ସନ୍ ମୋଡ଼ରେ ଅବକାରୀ କମିଶନର । ଦେଖିବାକୁ ମିଳିଛି ବେଆଇନ ଭାବରେ ରାଜଧାନୀର ବିଭିନ୍ନ ବାର ବେଧଡ଼କ ଭାବେ ରାତି ତମାମ ଚଲାଉଛନ୍ତି । ନିୟମ କହୁଛି ରାତି ୧୨ଟା ପର୍ଯ୍ୟନ୍ତ ବାରରେ ମଦ ବିକ୍ରି କରାଯାଇପାରିବ । ମାଲିକ ମାନେ ଚାହିଁଲେ ଏକ୍ସଟେଣ୍ଡ ଲାଇସେନ୍ସ ନେଇ ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ବାର ଚଲାଇପାରିବେ । କିନ୍ତୁ କିଛି ବାର ଗୁଡ଼ିକ ନିୟମକୁ ବାଏଁ ବାଏଁ ଉଡ଼ାଇଦେଉଛନ୍ତି । ରାତି ତମାମ ନାଚ ଗୀତର ଆସର ଜମାଇ ଭୋର ପର୍ଯ୍ୟନ୍ତ ବାର ଚଳାଉଛନ୍ତି । ଆଉ ଗ୍ରାହକ ମାନେ ଭିଡ଼ିଓ କରି ସମୟ ସହିତ ଏହାକୁ ପୋଷ୍ଟ କରିଛନ୍ତି । ବାର ମାଲିକଙ୍କ ଏହି ସବୁ କାଣ୍ଡ କାରନାମା ସାମ୍ନାକୁ ଆସିବା ପରେ ଅବକାରୀ ଅଫିସରଙ୍କୁ ତାଗିଦ କରିଛନ୍ତି ଅବକାରୀ ବିଭାଗ କମିଶନର । କହିଛନ୍ତି ଯେଉଁ ବାର ଗୁଡ଼ିକ ନିୟମ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ବାରମ୍ବାର ଉଲ୍ଲଘଂନ କଲେ ବାର ଲାଇସେନ୍ସକୁ ରଦ୍ଦ କରାଯିବ । ଏହା ସହିତ ଯେଉଁ ଅବକାରୀ ଅଫିସରଙ୍କ ଅଧିନରେ ବାର ଚାଲିଥିବା ତାଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।