ରାଜଧାନୀରେ ଆତଙ୍କ ଖେଳାଇଥିବା ଗ୍ୟାଙ୍ଗ ବିରୋଧରେ ଆସିଲା ଅଭିଯୋଗ: ରାସ୍ତା ଉପରେ ଯୁବତୀଙ୍କୁ ଆକ୍ରମଣ କରିଥିଲେ ଅପରାଧୀ ଗ୍ୟାଙ୍ଗ 

1,104

କନକ ବ୍ୟୁରୋ: ରାଜଧାନୀରେ ରାତିରେ ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରୁଥିବା ଗ୍ୟାଙ୍ଗ ବିରୋଧରେ ଆସିଛି ପ୍ରଥମ ଅଭିଯୋଗ । କନକ ନ୍ୟୁଜରେ ଏହି ଗ୍ୟାଙ୍ଗ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ସେ କେମିତି ନିଜ ପୁରୁଷ ବନ୍ଧୁଙ୍କ ସହ ଘରକୁ ଫେରିବା ବେଳେ ସେହି ଗ୍ୟାଙ୍ଗ ହାବୁଡରେ ପଡିଯାଇଥିଲେ । ଆଉ ସେହି ଗ୍ୟାଙ୍ଗ କିଭଳି ପ୍ରେମୀ ଯୁଗଳଙ୍କୁ ଆକ୍ରମଣ କରିଥିଲେ, ସେହି ଲୋମହର୍ଷଣକାରୀ କଥା କ୍ୟାମେରା ଆଗରେ ଯୁବତୀ କହିଛନ୍ତି ।

ସେପ୍ଟେମ୍ବର ୨୭ ତାରିଖ ରାତି ୯ଟା ବେଳେ ସେ ନିଜ ପୁରୁଷ ବନ୍ଧୁଙ୍କ ସହ ଚନ୍ଦ୍ରଶେଖପୁର ରାସ୍ତାରେ ଫେରିବା ବେଳେ ବାଟରେ ଅଟକାଇଥିଲେ ଗ୍ୟାଙ୍ଗର କିଛି ଯୁବକ । ସେମାନଙ୍କ ସହ କିଛି ଯୁବତୀ ମଧ୍ୟ ରହିଥିଲେ । ତାଙ୍କ ହାବଭାବରୁ ଜଣାପଡୁଥିଲା, ସେମାନେ ଅତ୍ୟଧିକ ନିଶାରେ ଥିଲେ ଓ  ପେଶାଦାର ଅପରାଧୀ ଭଳି ବ୍ୟବହାର ଦେଖାଉଥିଲେ । କାର ଅଟକାଇବା ପରେ ହର୍ଣ୍ଣ ଦେବା ଘଟଣାକୁ ନେଇ ରାଗିଯାଇଥିଲା, ଗ୍ୟାଙ୍ଗ ସଦସ୍ୟ । ଏହାପରେ ଯୁବତୀଙ୍କୁ କମେଂଟ ପାସ କରିବା ସହ କାର ଭିତରୁ ଟାଣି ଆଣି ଟଣାଓଟରା କରିବା ସହ ମାରପିଟ କରିଥିଲେ । ଏହାର ବିରୋଧ କରିବାରୁ ପୁରୁଷ ବନ୍ଧୁଙ୍କୁ ସେମାନ ମାଡ ମାରି ଅଚେତ କରି ଦେଇଥିଲେ ।

ଏନେଇ ପୁଲିସ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ମିଳିନଥିବା କହିଛନ୍ତି ଯୁବତୀ । ଏହି ଗ୍ୟାଙ୍ଗ ରାତିରେ ରାଜଧାନୀର ରାଜରାସ୍ତାକୁ ନିଜ କବଜାକୁ ନେଇ ଲୋକଙ୍କୁ ଆତଙ୍କିତ କରୁଥିବା ଖବର ପୂର୍ବରୁ ଆମେ ଆପଣଙ୍କୁ ଦେଖାଇଥିଲୁ । ଖବର ପ୍ରସାରଣ ପରେ ଜଣେ ଯୁବତୀ ସାହାସ ଦେଖାଇ ସେହି ଗ୍ୟାଙ୍ଗ ବିରୋଧରେ ଅଭିଯୋଗ ଆଣିଛନ୍ତି ।