କନକ ବ୍ୟୁରୋ: ଲକ୍ଷ୍ମୀ ବସ୍ ଯୋଜନାରେ ଆସିଲା ମହାଦୁର୍ନୀତିର ଅଭିଯୋଗ । କେତେ ଟଙ୍କାରେ କିଣାହେଲା ବସ୍ ? କେତେ କ୍ଷତିରେ ଚାଲିଛି ଏହି ବସ ? ଏହାର ଉତ୍ତର ଦେଇପାରୁନାହିଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ । ଅନ୍ୟପଟେ ବସର ପରିଚାଳନା ଦାୟିତ୍ୱରେ ଥିବା ୩ଟି ସଂସ୍ଥାକୁ କୋଟି କୋଟି ଟଙ୍କା ଦେଇ ପୋଷିଚାଲିଛି ରାଜ୍ୟ ସରକାର ।

Advertisment
  • ଲକ୍ଷ୍ମୀ ବସ କିଣାରେ ମହାଦୁର୍ନୀତି?
  • ରାଜ୍ୟ ରାଜକୋଷକୁ ଲୁଟ ଅଭିଯୋଗ
  • ସଂପୂର୍ଣ୍ଣ ହିସାବ ଦେବାକୁ କୁନ୍ଥୁକୁନ୍ଥୁ ଅଧିକାରୀ

ଗ୍ରାମାଞ୍ଚଳରେ ସହଜ ଓ ସୁଲଭ ମୂଲ୍ୟରେ ଯାତାୟତ ପାଇଁ ପୂର୍ବ ସରକାର ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଥିଲେ। ସାଧାରଣ ଯାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ବସ୍ ସେବା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

  • ଲକ୍ଷ୍ମୀ ବସ କେଉଁ ସଂସ୍ଥା କିଣିଛି ?
  • କେତେ ଟଙ୍କାରେ କିଣାଯାଇଛି ଲକ୍ଷ୍ମୀ ବସ ?
  • ଏଥିପାଇଁ ସରକାର ଟେଣ୍ଡର କରିଥିଲେ କି ?

ପରିବହନ ବିଭାଗ ଏବଂ ଓଏସଆରଟିସି କର୍ତ୍ତୃପକ୍ଷଙ୍କୁ ସୂଚନା ଅଧିକାର କର୍ମୀ ଏଭଳି ଅନେକ ପ୍ରଶ୍ନ ପଚାରିଥିଲେ ବି ମିଳୁନାହିଁ ସଠିକ୍ ଉତ୍ତର । କେବଳ ଏତିକି ଉତ୍ତର ମିଳିଛି ଯେ, ଚଳିତ ବର୍ଷ ଏପ୍ରିଲ ୨୨ ତାରିଖ ମଧ୍ୟରେ ରାଜ୍ୟ ବାହାରର ୨ଟି ଏବଂ ଓଡିଶାର ଗୋଟିଏ ସଂସ୍ଥା ପର୍ଯ୍ୟାୟକ୍ରମେ ୧,୨୧୯ ବସ୍ କିଣିଛନ୍ତି ।

  • ଗୁଜୁରାଟର ଚାଟାର୍ଡ ସ୍ପିଡ୍ ଲିମିଟେଡ୍ ୮୧୮ଟି
  • ଦିଲ୍ଲୀର ନର୍ବଦା ଟ୍ରାଭେଲ୍ସ ୨୧୯ଟି
  • ଓଡ଼ିଶାର କୁନାଲ ଟ୍ରାନ୍ସପୋର୍ଟ ୧୮୨ଟି ବସ କିଣିଛି

କିନ୍ତୁ କେତେ ଟଙ୍କାରେ ଏହି ବସ୍ କିଣିଛନ୍ତି ତାହା ଜଣାଇ ନାହାନ୍ତି । ଏପରିକି ଏହି ଯୋଜନାରେ ରାଜ୍ୟ ସରକାର ଲାଭ ପାଉଛନ୍ତି ନା କ୍ଷତି । ଏହାର ହିସାବ ଦେବାକୁ ରାଜି ନାହାନ୍ତି ସରକାରୀ ଅଧିକାରୀ।

ରାଜ୍ୟ ସରକାର ଗୋଟିଏ ଦିନରେ ନନ୍ ଏସି ବସ୍ ଓ ଏସି ବସ୍ ପରିଚାଳନା ଓ ରକ୍ଷଣାବେକ୍ଷଣ କରୁଥିବା ୩ ସଂସ୍ଥାକୁ ୧୮ ହଜାରରୁ ୨୦ ହଜାର ଟଙ୍କା ଦେଉଛନ୍ତି । ରାସ୍ତାରେ ୧ ହଜାର ବସ ଗଡିଲେ ମାସକୁ ଏହି ସଂସ୍ଥାକୁ ହାରାହାରି ୬୨ କୋଟି ଟଙ୍କା ସରକାର ଦେଉଥିବା କହିଛି ଘରୋଇ ବସ ମାଲିକ ସଂଘ । ତେଣୁ ସଂସ୍ଥା ପ୍ରତି ଏତେ ଅନୁକମ୍ପା କାହିଁକି ବୋଲି ପ୍ରଶ୍ନ କରିଛି ସଂଘ । ତେବେ ମହାଦୁର୍ନୀତି ସମ୍ପର୍କରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଏବଂ ଓଏସଆରଟିସି କର୍ତ୍ତୃପକ୍ଷଙ୍କୁ ସୂଚନା ଅଧିକାର କର୍ମୀ ବାରମ୍ବାର ତଥ୍ୟ ମାଗିଲେ ବି ଲୁଚାଇ ଚାଲିଛନ୍ତି । ଏହା ବିରୋଧରେ ଓଏସଆରଟିସି କାର୍ଯ୍ୟାଳୟ ବାହାରେ ଧାରଣା ଦେଇଛନ୍ତି ସୂଚନା ଅଧିକାର କର୍ମୀ।