କନକ ବ୍ୟୁରୋ: ଏଏସଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଶାୟୀ । ବିଶେଷ କରି ଚୟନ ପ୍ରତିକ୍ରିୟାରେ ତ୍ରୁଟି ହୋଇଥିବା ଦର୍ଶାଇ ଏକାଧିକ ମାମଲା ଦାୟର କରିଛନ୍ତି ଅସନ୍ତୁଷ୍ଟ ପରୀକ୍ଷାର୍ଥୀ । ମିଳିଥିବା ସୂଚନା ଅନୁସାରେ କୋର୍ଟ ମାମଲାକୁ ଗ୍ରହଣ କରିଥିବାବେଳେ ସୋମବାର ଏହାର ଶୁଶାଣି କରିପାରନ୍ତି । ଚୟନରେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ଓପିଏସସି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । କମିଶନ ସେମାନଙ୍କ ସହିତ ଆଲୋଚନା କରିବା ପରେ ଏକ ବିଜ୍ଞପ୍ତି ଜାରି କରି କୌଣସି ଅନିୟମିତତା ହୋଇନଥିବା ସ୍ପଷ୍ଟ କରିଥିଲେ । ତଥାପି ଓପିଏସସି ବିରୋଧରେ ୫ରୁ ଅଧିକ ମାମଲା ହାଇକୋର୍ଟରେ ଦାୟର କରାଯାଇଥିବା ଜଣାପଡିଛି ।

ସବଜେକ୍ଟ ୱାଇଜ୍ କ୍ୱାଲିଫାଇଂ ମାର୍କ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଏଏସଓ ଆଶାୟୀ । ଏପରିକି କଟ୍୍ଅଫ ମାର୍କ ସମ୍ପର୍କରେ କାହିଁକି ବର୍ତମାନ ସୁଦ୍ଧା ସୂଚନା ଦିଆଯାଇନାହିଁ ବୋଲି ପ୍ରଶ୍ନ କରୁଛନ୍ତି । ଜାନୁଆରୀରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଆଧାରରେ ପ୍ରାୟ ୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ହେଲେ ଓପିଏସସି ପକ୍ଷରୁ କୁହାଯାଇଛି ଯେ, ଫେବ୍ରୁଆରୀ ୧୬ ତାରିଖରେ ଏକ ସାନି ବିଜ୍ଞପ୍ତି ଜାରି କରାଯାଇଥିଲା । ଏଥିରେ କ୍ରାଇଟେରିଆରେ ପରିବର୍ତନ କରି ସବଜେକ୍ଟ ୱାଇଜ୍ ଓ ଏଗ୍ରିଗେଟ୍ କଟ-ଅଫ ମାର୍କ ସ୍ଥିର କରାଯାଇଥିଲା । ଏବେ କୁହାଯାଉଛି ପ୍ରୋଫିସିଏନ୍ସି ଟେଷ୍ଟ ପରେ ପରୀକ୍ଷାର୍ଥୀଙ୍କୁ ସେମାନେ ରଖିଥିବା ମାର୍କ ବିଷୟରେ ସ୍ପଷ୍ଟ କରିଦିଆଯିବ ।

ଓପିଏସସିର ସ୍ପଷ୍ଟିକରଣ ପରେ ମଧ୍ୟ ଆସିଷ୍ଟାଂଟ ସେକ୍ସନ୍ ଅଫିସର ବା ଏଏସଓ’ର ଲିଖିତ ପରୀକ୍ଷା ଫଳକୁ ନେଇ ଆଶାୟୀ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଥମିନି । ଅଭିଯୋଗର ତଦନ୍ତ କରିବା ପୂର୍ବରୁ ସ୍ୱଚ୍ଛତା ରହିଥିବା ଓପିଏସସି କେମିତି ଜାଣିପାରିଲା ବୋଲି ଆଶୟୀ ପ୍ରାର୍ଥୀମାନେ ପ୍ରଶ୍ନ ଉଠାଇଛନ୍ତି । ତେଣୁ ନିଯୁକ୍ତି ପ୍ରକ୍ରିୟା ସାରିବା ପୂର୍ବରୁ ଆନସର ସିଟ୍ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି ।