ଦୁର୍ନୀତି କଲେ, ପଦନ୍ନୋତି ପାଇଲେ । ପାଇଖାନା ନିର୍ମାଣରେ ହୋଇଥିଲା ଦୁର୍ନୀତି ଅଭିଯୋଗ । କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ହେଲା ପଦନ୍ନୋତି

298

କନକ ବ୍ୟୁରୋ : ଦୁର୍ନୀତି କଲେ, ପଦନ୍ନୋତି ପାଇଲେ । ଏପରି ଅଜବ ଘଟଣା ଘଟିଛି ବଲାଙ୍ଗୀରରେ । ଜିଲ୍ଲାରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ଦୁର୍ନୀତି ଓ ବ୍ୟାପକ ଅନିୟମିତତାର ଖବର ଆମେ ପ୍ରସାରଣ କରିଥିଲୁ । ଯନ୍ତ୍ରୀ, ଅଧିକାରୀ ଓ ଠିକାଦାର କିଭଳି ଭାଗ ବାଣ୍ଟି ସରକାରୀ ଟଙ୍କା ହରିଲୁଟ କରିଥିଲେ, ସେ ନେଇ ଟିକିନିଖି ଖବର ଦେଖାଇଥିଲୁ । ଦୁର୍ନୀତି ହୋଇଥିବା ନେଇ ଜଣେ ଜେଇ ନିଜ ମୁହଁରେ ମଧ୍ୟ ସ୍ୱୀକାର କରିଥିଲେ । ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ପରିବର୍ତେ ଏବେ ସେମାନଙ୍କ ଚାକିରିକୁ  ରେଗୁଲାର କରାଯିବା ପାଇଁ ନିର୍ଦେଶନାମା ଜାରି ହୋଇଛି ।

ବଲାଙ୍ଗୀର ଜିଲ୍ଲାର ଅଧିକାଂଶ ବ୍ଲକରେ ହୋଇଥିବା ପାଇଖାନା ଦୁର୍ନୀତି ଖବର ଦେଖାଇଥିଲା କନକ ନ୍ୟୁଜ୍ । କିଭଳି ଭାବେ ଠିକାଦାର ଓ ଜେଇ ମିଳିମିଶି ଲୋକଙ୍କ ପଇସା ହଜମ କରିଦେଇଛନ୍ତି । କିଭଳି ଭାବେ ଅତି ନିମ୍ନମାନର ପାଇଖାନା ତିଆରି ହୋଇଛି, ପାଇଖାନା ଭିତରେ ପାଦ ଦେବା ବେଳେ ସିମେଂଟ ଝଡିଯାଉଛି । କେଉଁଠି ପାଣି ପାଇଁ ଟାଙ୍କି ନାହିଁ , କାଁ ଭାଁ କେଉଁଠି ଟାଙ୍କି ଥିଲେ ସେଥିରେ ବାଲଟିଏ ପାଣି ରହିବାର କ୍ଷମତା ନାହିଁ । କେଉଁଠି ବିଲ ମଝିରେ ହିତାଧିକାରୀଙ୍କ ଅଜାଣତରେ ତିଆରି ହୋଇଛି ପାଇଖାନା, ଯାହାକୁ ହାତ ଦେଉ ଦେଉ କାନ୍ଥ ଗୁଡିକ ପଡି ଚୁରମାର ହୋଇଯାଉଛି ।  କେଉଁଠି ଗୋଟିଏ କାନ୍ଥରେ ତିନି ତିନିଟି ପାଇଖାନା ହୋଇଛି ତ କେଉଁଠି ବିନା ପଲସ୍ତରାରେ ଅଧପନ୍ତରିଆ ପାଇଖାନା କରି କୋଟି କୋଟି ଟଙ୍କା ଉଠାଇ ମାଲେ ମାଲ ହୋଇଛନ୍ତି ଖୋଦ୍ ବିଭାଗର ଜେଇ ଓ ଠିକାଦାର ।

ବଲାଙ୍ଗିର ଜିଲ୍ଲାରେ ୨୦୧୬-୧୭ ମସିହାରେ  ସ୍ୱଚ୍ଛ ଭାରତ ମିଶନରେ କେନ୍ଦ୍ର ସରକାରଙ୍କ ଠାରୁ ସିଧାସଳଖ ଆରଡବ୍ଲୁଏସଏସ ବିଭାଗକୁ ଟଙ୍କା ଆସିଥିଲା । ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକରେ ଜେଇଙ୍କ ଅନୁକମ୍ଫାରେ କିଛି ଏନଜିଓ କାମ କରିଥିବା ବେଳେ ଆଉ କିଛି ଜେଇଙ୍କ ନିଜ ଲୋକ ବିଭିନ୍ନ ଏସଏଚଜି ନାଁରେ ନିଜେ କାମ କରି ବିଲ ପାଇସାରିଛନ୍ତି । ପ୍ରତି ପାଇଖାନା ପାଇଁ ୧୨,୦୦୦ ଟଙ୍କା ଥିବା ବେଳେ  ମାତ୍ର ୨- ୩ ହଜାର ଟଙ୍କାରେ କାମ କରି ବାକି ଟଙ୍କାକୁ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା ।

ଏହି ଦୁର୍ନୀତି ସଂପର୍କରେ ଭିଜିଲାନ୍ସ ବିଭାଗକୁ ମଧ୍ୟ ଅନେକ ଲୋକ ଲିଖିତ ଅଭିଯୋଗ କରିସାରିଛନ୍ତି । ହେଲେ ଏସବୁର କିଛି ବି ପ୍ରଭାବ ପଡିନାହିଁ । ଦୁର୍ନୀତିଖୋରଙ୍କୁ ଦଣ୍ଡିତ କରିବା ପରିବର୍ତେ ଚୁକ୍ତି ଭିତ୍ତିକ ଚାକିରିରୁ ସ୍ଥାୟୀ କରିବା ପାଇଁ ନିର୍ଦ୍ଦେଶ ଆସିଛି । ଏସଂପର୍କରେ ପରାରିବାରୁ ଏକ ଟିମ ଗଠନ କରି ଏହାର ତଦନ୍ତ କରିବେ ବୋଲି କହିଛନ୍ତି ଜିଲ୍ଲାପାଳ ।