କନକ ବ୍ୟୁରୋ: ପୁଣି ଶିଶୁ ଅଦବଦଳ ଅଭିଯୋଗ । ତାହା ପୁଣି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ । ଅଭିଯୋଗ ଅନୁସାରେ ଭୁବନେଶ୍ୱରର ଜଣେ ମହିଳାଙ୍କ ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ । ହେଲେ ଶିଶୁ ହସ୍ତାନ୍ତର ବେଳେ ତାଙ୍କୁ କନ୍ୟା ସନ୍ତାନ ଦିଆଯାଇଥିଲା । ଆଉ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ପରିବାର ଲୋକେ ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ଆଉ ଡିଏନଏ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ।

Kanak News is now on WhatsApp
Join and get latest news updates delivered to you via WhatsApp
ରାଜଧାନୀର ସବୁଠୁ ବଡ଼ ସରକାରୀ ଡାକ୍ତରଖାନ ନାଁରେ ଆସିଛି ବଡ଼ ଅଭିଯୋଗ । ଏ ଅଭିଯୋଗ ଏମିତି ସେମିତି ଅଭିଯୋଗ ନୁହେଁ । ହସ୍ପିଟାଲ ବେଡ୍ରୁ ଛୁଆ ଚୋରିର ଅଭିଯୋଗ । କେନ୍ଦ୍ରାପଡ଼ାର ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ଏହି ଅଭିଯୋଗ ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ପ୍ରାଣକୃଷ୍ଣ କହିଛନ୍ତି, ତାଙ୍କ ପତ୍ନୀ ସମିତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ । ସିଜରିଆନ୍ ପାଇଁ ଡାକ୍ତର ପରାମର୍ଶ ବି ଦେଇଥିଲେ । ଅପରେସନ୍ ଶେଷରେ ସେ ପୁତ୍ର ସନ୍ତାନ ଲାଭ କରିଛନ୍ତି ବୋଲି ଜଣାଇଥିଲେ ନର୍ସ । କିନ୍ତୁ କିଛି ସମୟରେ ଯେତେବେଳେ ପ୍ରାଣକୃଷ୍ଣ ନିଜ ସନ୍ତାନକୁ ଦେଖିଥିଲେ, ସେତେବେଳକୁ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ପୁଅକୁ ଗାଏବ କରି ହସ୍ପିଟାଲ କର୍ତୃପକ୍ଷ ଝିଅ ଧରାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ପୁଅ କୁଆଡ଼େ ଗଲା ପଚାରିବାରୁ, ପୁଅ ନୁହେଁ, ଭୁଲରେ ପୁହ କହିଥିଲୁ । ଆପଣଙ୍କର ଝିଅଟେ ଜନ୍ମ ହୋଇଥିଲା କହିଥିଲେ ହସ୍ପିଟାଲ କର୍ତୃପକ୍ଷ ।
ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ହସ୍ପିଟାଲର ସିସିଟିଭି ଫୁଟେଜକୁ ଯାଂଚ କରି ତଦନ୍ତ ଆରମ୍ଭ କରାଯିବ । ଆବଶ୍ୟକ ପଡ଼ିଲେ, ପିଲା ଓ ବାପାଙ୍କ ଡିଏନଏ ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି । ଅନ୍ୟପଟେ କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରାଣକୃଷ୍ଣ । ଥାନାରେ ଲିଖିତ ଅଭିଯୋଗ କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି କରିଛନ୍ତି । କିନ୍ତୁ ଆଶା ଦିଦି ଗଣମାଧ୍ୟମକୁ ଦେଇଥିବା ବୟାନ ଅଭିଯୋଗକୁ ଆହୁରି ମଜଭୁତ କରିଦେଇଛି । ଆଶା ଦିଦି କହିଛନ୍ତି, ପୁଅ ହୋଇଥିବାର ଖବର ହସ୍ପିଟାଲ ପକ୍ଷରୁ ପରିବାର ଲୋକଙ୍କୁ ଦିଆଯାଇଥିଲା । ଆଉ ପରବର୍ତୀ ସମୟରେ ହସ୍ପିଟାଲ ନିଜର ମତ ବଦଳାଇଥିଲା ।
ଯଦି ପ୍ରାଣକୃଷ୍ଣଙ୍କ ଅଭିଯୋଗ ସତ ହୋଇଥାଏ, ତାହେଲେ ଏହା ଏକ ସାଂଘାତିକ ଘଟଣା । କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ-
– ପ୍ରାଣକୃଷ୍ଣଙ୍କର ସନ୍ତାନଟି ପୁଅ ନା ଝିଅ?
– ପୁଅ ହେବାର ଖବର ଦେଇ କେମିତି ମତ ବଦଳାଇପାରିବ ହସ୍ପିଟାଲ?
– ଯଦି ଝିଅ ହୋଇଥିଲା, ପୁଅ ବୋଲି କାହିଁକି କୁହାଗଲା?
– ପୁଅ ହୋଇଛି ବୋଲି ପରିବାରକୁ କିଏ ଖବର ଦେଇଥିଲା?
– ଛୁଆ ବଦଳାଇବା ପଛର କ’ଣ ଉଦ୍ଦେଶ୍ୟ ହୋଇପାରେ?
– ଡିଏନ୍ଏ ଟେଷ୍ଟ କରିବାରେ ଅସୁବିଧା କେଉଁଠି?