କନକ ବ୍ୟୁରୋ : ଓଡ଼ିଶାରେ ବଢିଚାଲିଛି ଟାଟା ପାୱାରର ଦୌରାତ୍ମ୍ୟ । ବିଦ୍ୟୁତ ବିଲ୍ ନାଁରେ ଉପଭୋକ୍ତାଙ୍କୁ ଲୁଟି ଚାଲିଛି । ଏଭଳି ଏକ ଅଭିଯୋଗ ଆସିଛି ଭୁବନେଶ୍ୱର ଖାରବେଳ ନଗରରୁ, ଯେତେବେଳେ ଉପଭୋକ୍ତାଙ୍କ ନିକଟକୁ ଆସିଛି ପାଖାପାଖି ୪ଲକ୍ଷ ଟଙ୍କାର ବିଲ । ଏନେଇ ଅଭିଯୋଗ ପରେ ଟାଟା ପାୱ୍ୱାର କର୍ତ୍ତୃପକ୍ଷ, ମିଟର ସ୍ଲୋ ହୋଇଯାଇଥିବାରୁ ପିଛଲା ଭାବେ ଏଭଳି ବିଲ ଦିଆଯାଇଥିବା ସଫେଇ ଦେଇଛନ୍ତି ।
ବଢୁଛି ଟାଟା ପାୱାରର ଜୁଲୁମ୍ । ବିଦ୍ୟୁତ୍ ଶୁଳ୍କ ନାଁରେ ଲୁଟିଚାଲିଛି କମ୍ପାନୀ । ଭୁବନେଶ୍ୱର ଖାରବେଳ ନଗରର ଅଶୋକ ମହାନ୍ତି । କମର୍ସିଆଲ କନେକ୍ସନରେ ପ୍ରତିମାସରେ ଦେଉଥିଲେ ୧୫ରୁ ୨୦ ହଜାର ଟଙ୍କା ବିଲ୍ । କିନ୍ତୁ ଦିନେ ହଠାତ୍ ବିଦ୍ୟୁତ ବିଲ୍ ତାଙ୍କର ହୋସ ଉଡାଇଦେଇଥିଲା । ହଠାତ୍ ଆସିଥିଲା ୩ ଲକ୍ଷ ୭୩ ହଜାର ଟଙ୍କାର ବିଲ୍ । ଗତ ବର୍ଷ ଅଗଷ୍ଟ ମାସରେ ଆସିଥିଲା ଏହି ବିଲ । ଏନେଇ ଅଶୋକ ଅଭିଯୋଗ କରିବା ପରେ ଟାଟା ପାୱ୍ୱାର କର୍ତ୍ତୃପକ୍ଷଙ୍କ ଯୁକ୍ତି ଥିଲା, ମିଟର ସ୍ଲୋ ହୋଇଯାଇଥିବାରୁ ପିଛଲା ଭାବେ ଏଭଳି ବିଲ୍ ଦିଆଯାଇଛି । ଏନେଇ ଟାଟା ପାୱାରର ଅଭିଯୋଗ ଫୋରମରେ ଅଭିଯୋଗ କରିଥିଲେ ଅଶୋକ । ଫୋରମ ଅଶୋକଙ୍କ ସପକ୍ଷରେ ରାୟ ଦେଇଥିଲେ । ତା ସତ୍ୱେ ବିଦ୍ୟୁତ ସଂଯୋଗକୁ ବାରମ୍ବାର କାଟିଦେଇଥିଲା ଟାଟା ପାୱାର ।
ଖାରବେଳ ନଗରରେ ହଷ୍ଟେଲ ଥିବାରୁ ବାଧ୍ୟ ହୋଇ ୩ଟି କିସ୍ତିରେ ଅଢେଇ ଲକ୍ଷ ଟଙ୍କା ପୈଠ କରିଥିଲେ ଅଶୋକ । ଆଉ ଶେଷରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗର ଆମ୍ବୁଡସମେନରେ ଅଭିଯୋଗ କରିଥିଲେ । ଶୁଣାଣିବେଳେ ଏହି ସମୟ ଭିତରେ ବିଦ୍ୟୁତ ଯୋଗାଣକୁ ବନ୍ଦ କରାନଯାଉ ବୋଲି ଅମ୍ବୁଡସମେନ ସ୍ପଷ୍ଟ କରିଥିଲେ । ଏନେଇ ଉଭୟ ଅଭିଯୋଗକାରୀ ଅଶୋକ ଓ ଟାଟା ପାୱାରର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଆସିଥିଲା । ଏହା ସତ୍ୱେ ବିଦ୍ୟୁତ କାଟ ହେବ ବୋଲି ଟାଟା ପାୱାରର ଯନ୍ତ୍ରୀ ଧମକ ଦେଉଥିବା ଅଶୋକ କହିଛନ୍ତି ।
ଏନେଇ ଆମେ ଟାଟା ପାୱାରର ଅଧିକାରୀଙ୍କ ସହ କଥା ହେଇଥିଲୁ । ତେବେ ମିଟର ସ୍ଲୋ ହେବାରୁ ବିଲ୍ କମ ଆସିଥିବା କହି ପ୍ରସଙ୍ଗରୁ ଓହରିବାକୁ ଚେଷ୍ଟା କରିଛନ୍ତି ଅଧିକାରୀ । କେବଳ ଏଭଳି ଗୋଟିଏ ମାମଲା ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏଭଳି ମାଳ ମାଳ ଅଭିଯୋଗ ଆସୁଥିବାରୁ ଟାଟା ପାୱାରର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।