କନକ ବ୍ୟୁରୋ : ଦେଶରେ ଅନଲାଇନ ଖାଦ୍ୟ ଯୋଗାଉଥିବା ଦୁଇ ଅଗ୍ରଣୀ ସଂସ୍ଥା ସ୍ୱିଗି ଓ ଜୋମାଟୋ ପାଇଁ ବଢିଲା ଅଡୁଆ । ଏହି ଦୁଇ ଡେଲିଭରୀ ସଂସ୍ଥା ଉପରେ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) । ଉଭୟ କମ୍ପାନିର ପରିଚାଳନା ଓ ବ୍ୟବସାୟ ମଡେଲ ଉପରେ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ସିସିଆଇ । ପ୍ରତିସ୍ପର୍ଦ୍ଧା ଆଇନର ଉଲ୍ଲଂଘନ ହୋଇଥିବା ଅଭିଯୋଗ ନେଇ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଉଭୟ ସ୍ୱିଗି ଓ ଜୋମାଟୋ ରେସ୍ତୋରାଁ ସହଯୋଗୀଙ୍କ ସହିତ କାରବାର ବେଳେ ଉଚିତ ବ୍ୟବସାୟ ପ୍ରଥାକୁ ଗ୍ରହଣ କରୁନଥିବା ନେଇ ଅଭିଯୋଗ ହୋଇଛି । ଯାହାର ଯାଞ୍ଚ କରି ୬୦ ଦିନ ଭିତରେ ରିପୋର୍ଟ ଦେବାକୁ ସିସିଆଇର ଡାଇରେକ୍ଟର ଜେନେରାଲ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ଜାତୀୟ ରେସ୍ତୋରାଁ ସଂଘ (ଏନଆରଏଆଇ) ପକ୍ଷରୁ ଜୋମାବଟୋ ଓ ସ୍ବିଗି ବିରୋଧରେ ଦାଖଲ କରାଯାଇଥିବା ଅଭିଯୋଗକୁ ତର୍ଜମା କରିବା ପରେ ସେଥିରେ କିଛିଟା ସତ୍ୟତା ଥିବା ଜଣାପଡ଼ିଛି। କାରବାର ବେଳେ ରେସ୍ତୋରାଁର ସ୍ୱାର୍ଥକୁ ଅଣଦେଖା କରାଯାଉଛି ନା ନାହିଁ ତାହା ଜାଣିବା ଲାଗି ତଦନ୍ତ ବେଳେ ପ୍ରୟାସ କରାଯିବ। ଜୋମାଁଟୋ ଓ ସ୍ୱିଗି ପକ୍ଷରୁ ରେସ୍ତୋରାଁଗୁଡ଼ିକ ଉପରେ ଏକପାଖିଆ ସର୍ତ୍ତ ଲଦିବା, ବିଳମ୍ବରେ ପେମେଣ୍ଟ୍ ଦେବା ଏବଂ ଚଢ଼ା ଦରର କମିସନ ଲାଗୁ କରିବାଭଳି ଅଭିଯୋଗ ରହିଛି। ଏହି ଏନଆରଏଆଇ ସଂଘରେ ୫୦ ହଜାରରୁ ଅଧିକ ରେସ୍ତୋରାଁ ସାମିଲ ଅଛନ୍ତି ।

ଦେଶରେ ସ୍ୱିଗି ଓ ଜୋମାଟୋ ଭଳି ସଂସ୍ଥାର ପ୍ରାଧାନ୍ୟ ରହିଛି । ଏହି ଦୁଇ ଆପ୍ ବହୁଳ ମାତ୍ରାରେ ବ୍ୟବହାର ହେଉଛି । ଦୈନିକ ଲକ୍ଷ ଲକ୍ଷ ଖାଦ୍ୟ ଅର୍ଡର ଏହି ଆପ୍ ମାଧ୍ୟମରେ ଆସୁଛି । ଅନଲାଇନରେ ହାତମୁଠାରେ ଏହି ସୁବିଧା ମିଳୁଛି । ଯେଉଁଥିପାଇଁ ଏହା ଲୋକଙ୍କର ବେଶ ପସନ୍ଦ ପାଲଟିଛି । ଯାହାର ଫାଇଦା ଉଠାଇବାକୁ ଅଣ୍ଟା ଭିଡିଛନ୍ତି ଉଭୟ ସଂସ୍ଥା । ଉଭୟ ସ୍ୱିଗି ଓ ଜୋମାଟୋ ସଂସ୍ଥା ନିଜ ମନମୁତାବକ ବଜାରକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିବା କୁହାଯାଉଛି । ଖାସକରି ବଜାରରେ ଯେଉଁ ପ୍ରତିଯୋଗିତା ରହିଛି ତାହାକୁ ଶେଷ କରିବାକୁ ଉଦ୍ୟମ ହେଉଥିବା ନେଇ ଅଭିଯୋଗ ହେଉଛି । ଆଉ ଥରେ ପ୍ରତିଯୋଗିତା କରିବାକୁ ପ୍ରତିଦ୍ୱନ୍ଦ୍ୱୀ ନରହିଲେ ଏକଚାଟିଆ ବ୍ୟବସାୟ କରିବାକୁ ସୁଯୋଗ ମିଳିବ । ଯାହାକୁ ସଂସ୍ଥାକୁ ଲାଭ ଦେବ କିନ୍ତୁ ଗ୍ରାହକଙ୍କୁ କ୍ଷତି ସହିବାକୁ ପଡିବ ।

ଏହାଛଡା କିଛି ନିର୍ଦ୍ଦିଷ୍ଟ ରେସ୍ତୋରାଁକୁ ଜାଣିଶୁଣି ଆପରେ ପ୍ରାଧାନ୍ୟ ଦିଆଯାଉଛି । ଯାହାଦ୍ୱାରା ସର୍ଚ୍ଚ କଲେ ସେହି ନିର୍ଦ୍ଦିଷ୍ଟ ରେସ୍ତୋରାଁର ନାଁ ଆଗକୁ ଆସିବ । ଆଉ ଏଥିପାଇଁ ଆପରେ ବେଆଇନ ଭାବେ ବ୍ୟବସ୍ଥା କରାଯାଉଥିବା ଅଭିଯୋଗ ରହିଛି । କିନ୍ତୁ ଏଭଳି କରିବା ଦ୍ୱାରା ନିର୍ଦ୍ଦିଷ୍ଟ ରେସ୍ତୋରାଁଙ୍କୁ ଛାଡିଦେଲେ ଅନ୍ୟ ରେସ୍ତୋରାଁ ସହଯୋଗୀମାନଙ୍କ ବ୍ୟବସାୟ ଯଥେଷ୍ଟ ଅଧିକ ପ୍ରଭାବିତ ହେଉଛି । ଏହାଛଡା ଆପରେ ହୋଟେଲ ଓ ରେସ୍ତୋରାଁକୁ ବିଭିନ୍ନ ଅର୍ଡର ଉପରେ ରିହାତି ଦେବାକୁ ସୁଯୋଗ ମିଳୁନାହିଁ । ଏହି ଆପକୁ ଏଭଳି ବିକଶିତ କରାଯାଇଛି ଯାହାଦ୍ୱାରା କେବଳ ସେହି ଆପରେ ହିଁ ବିଭିନ୍ନ ଉତ୍ପାଦର ସର୍ବନିମ୍ନ ମୂଲ୍ୟ ଓ ସର୍ବାଧିକ ରିହାତି ମିଳିପାରିବ । ତେଣୁ ହୋଟେଲର ଅନଲାଇନ ପ୍ଲାଟଫର୍ମ ବଦଳରେ ଲୋକେ ଆପକୁ ଆସିବାକୁ ଅଧିକ ପସନ୍ଦ କରୁଛନ୍ତି ।

ଏହାପୂର୍ବରୁ ଏନଆରଏଆଇ ଆସୋସିଏସନ ପକ୍ଷରୁ ଗତ ଜୁଲାଇ ମାସରେ ସ୍ୱିଗି ଓ ଜୋମାଟୋ ବିରୋଧରେ ଡାଟା ମାସ୍କିଙ୍ଗ, ଡିସକାଉଣ୍ଟ ନିୟମର ଉଲ୍ଲଘଂନ ଅଭିଯୋଗ କରି ଏହା ବିରୋଧରେ ଯାଞ୍ଚ କରିବାକୁ ଦାବି କରିଥିଲା । ଏପରିକି ଉଭୟ ସଂସ୍ଥା ରେସ୍ତୋରାଁ ଠାରୁ ୨୦ରୁ ୩୦ ପ୍ରତିଶତ କମିଶନ ନେଉଛନ୍ତି । ଯାହା ଯଥେଷ୍ଟ ଅଧିକ ବୋଲି ଆସୋସିଏସନ ପକ୍ଷରୁ ଅଭିଯୋଗ ହୋଇଛି ।