ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ପଥର ଖାଦାନ ଟେଣ୍ଡର ଫିକ୍ସିଂ ଅଭିଯୋଗ ଆଣିଲେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି

111

କନକ ବ୍ୟୁରୋ: ଜିଲ୍ଲାପାଳଙ୍କ ନାଁରେ ଟେଣ୍ଡର ଫିକ୍ସିଙ୍ଗ ଅଭିଯୋଗ । ମାଲାକନଗିରି ଜିଲ୍ଲାପାଳଙ୍କ ବିରୁଦ୍ଧରେ ଆସିଛି ସାଂଘାତିକ ଅଭିଯୋଗ । ଆନ୍ଧ୍ରର ଏକ ଘରୋଇ କମ୍ପାନି ହାତରେ ଜିଲ୍ଲାର ଅଧିକାଂଶ ଖଣି ଖାଦାନ ଟେକି ଦେଇଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ । ଲଘୁ ଖଣି ଖାଦାନର ନିଲାମୀ ଲାଗି ସ୍ଥାନୀୟ ତହସିଲଦାର ମାନଙ୍କୁ କ୍ଷମତା ଦିଆଯାଇ ଥିବା ବେଳେ ଆନ୍ଧ୍ରର ଏକ ଘରୋଇ କମ୍ପାନୀକୁ ଅନୁକମ୍ପା ଦେଖାଇ ନିଜେ ଜିଲ୍ଲାପାଳ ଟେଣ୍ଡର ଆହ୍ୱନ କରିଥିଲେ । ଏତିକି କି ଟେଣ୍ଡର ବକ୍ସକୁ ନିଜ ଘରେ ରଖି କାଗଜପତ୍ରକୁ ପରିବର୍ତନ କରାଯାଇ ଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝି । ତେବେ ଏ ନେଇ ଖୁବ ଶୀଘ୍ର ଜିଲ୍ଲାପାଳ ସ୍ପଷ୍ଟିକରଣ ରଖିବା ବୋଲି ଗଣମାଧ୍ୟମକୁ ଓାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

ପୁଣି ଚର୍ଚାରେ ମାଲକାନଗିରି ଜିଲ୍ଲାପାଳ । ଏଥର ଚର୍ଚାରେ ଡାକ୍ତର ୟେଦୁଲା ବିଜୟ । ଟେଣ୍ଡର ଫିକ୍ସିଙ୍ଗ ପରି ସାଂଘାତିକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାପାଳ ଡାକ୍ତର ୟେଦୁଲା ବିଜୟଙ୍କ ନାଁରେ । ଜିଲ୍ଲାଓାରି ଲଘୁ ଖଚ୍ଚିଜ ପଦାର୍ଥର ନିଲାମ ଲାଗି ତହସିଲଦାର ମାନଙ୍କ କ୍ଷମତା ରହିଛି । ତେବେ ମାଲକାନଗିରି ଜିଲ୍ଲାପାଳ କିଛି ଉଦ୍ଦେଶ୍ୟ ରଖି ସମସ୍ତ ୬ଟି ତହସିଲର ଖଣି ଲିଜ୍ ପ୍ରକ୍ରିୟା ନିଲାମ ଭାର ନିଜେ ତୁଲାଇ ଥିବା ଅଭିଯୋଗ ହୋଇଛି । ଗତ ମାର୍ଚ ୩ ତାରିଖରେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୨୦ ତାରିଖ ୫ଟା ୩୦ ମିନିଟ ଥିଲା ଆବେଦନ ର ଶେଷ ତାରିଖ । ତେବେ ଏଥିରେ ବ୍ୟାପକ ପକ୍ଷପାତିତା କରି ଥିବା ଅଭିଯୋଗ କରିଛି କଂଗ୍ରେସ ।

ଟେଣ୍ଡର ବକ୍ସକୁ ନିଜ ବାସଭବନରେ ରଖି କାଗଜ ପତ୍ର ହେରଫେର କରି ସିଏଚ୍ ବେନିଗୋପାଳ ନାମକ ବ୍ୟକ୍ତିଙ୍କୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ଆଣିଛନ୍ତି ପ୍ରଦୀପ ମାଝୀ । ଟେଣ୍ଡର ଅବଧି ସରିବାରେ କେଇ ଘଂଟା କିମ୍ବା ତାହାର ପର ଦିନ ଟେଣ୍ଡର ବକ୍ସ ଖୋଲିବାର ସରକାରୀ ନିୟମ ରହିଛି । ତେବେ କେଉଁ କାରଣ ରୁ ଟେଣ୍ଡର ବକ୍ସ ଖୋଲିବାକୁ ୧୦ ଦିନ ଲାଗିଲା ଏବଂ କାହିଁକି ଏହା ଟ୍ରେଜରି ରେ ରଖିବାକୁ ପଡିଲା ତାହାକୁ ନେଇ ଉଠିଛି ପ୍ରଶ୍ନ । ୨୦ ତାରିଖରେ ଟେଣ୍ଡର ବକ୍ସ ହସ୍ତାନ୍ତର କରାଯାଇ ଥିବା ଟେଣ୍ଡର ପ୍ରୋସିଡିଙ୍ଗସରେ ଉଲ୍ଲେଖ ରହି ଥିବା ବେଳେ ୨୩ ତାରିଖ ଦିନ ଗୋଟାଏ ୩୫ ମିନିଟରେ ବକ୍ସ ରିଭିସ କରାଯାଇ ଉଲ୍ଲେଖ ରହିଛି । ଯାହା ସନ୍ଦେହ ବଢ଼ାଉଛି ।

କେବଳ ଟେଣ୍ଡର ଫିସ୍କିଙ୍ଗ ନୁହଁ । ସିଏଚ୍ ବେଣୁଗୋପାଲ ନାମକ ବ୍ୟକ୍ତି ଯାହାର କି ମୋଟୁ ଠାରେ ଭିଜି ଗ୍ରାନାଇଟ୍ସ ନାମକ ଏକ କମ୍ପାନୀ ରହିଛି, ସେଇ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ଡଙ୍ଗର ଓ ଧାନ ଜମିରେ ୫ କୋଟି ଟଙ୍କାର ଘର ଦ୍ୱାର ଓ ପ୍ଲାନ୍ଟ ଥିବା ଦର୍ଶାଇ କୋଟିଏ ଟଙ୍କାର ସଲଭେନ୍ସି ପ୍ରାଦନ କରା ଯାଇଛି । ଏବଂ ସେଇ ସଲଭେନ୍ସି କୁ ଆଧାର କରି କୋଟିଏ ଟଙ୍କା ସ୍ଥାନରେ ୨ କୋଟି ୩୮ ଲକ୍ଷ ଟଙ୍କାର ପଥର କୁଆରି ଟେକି ଦିଆ ଯାଇ ଥିବା ଅଭିଯୋଗ ହୋଇଛି । ମାଲକାନଗିରି ଭଳି ଉପାନ୍ତ ଅଂଚଳରେ କ୍ରଶର ଠାରୁ ଆରମ୍ଭ କରି ନିର୍ମାଣ କାମ, ସବୁ ଆନ୍ଧ୍ର ଠିକାଦାରଙ୍କ ହାତରେ ଟେକି ଦିଆ ଯାଉଥିବା ଅଭିଯୋଗ ହୋଇଛି ।