ପୁଅ ପାଇଁ ଅଡୁଆରେ ବାପା ! ଅମିତ ଶାହଙ୍କ ପୁଅ ସମ୍ପତ୍ତିକୁ ନେଇ ଓଡ଼ିଶାରେ ଜୋର ଧରିଲା ରାଜନୀତି

59

କନକ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପୁଅ ଜୟ ଶାହାଙ୍କ କମ୍ପାନୀର ସମ୍ପତି ଅହେତୁକ ବୃଦ୍ଧିକୁ ନେଇ ଏବେ ରାଜନୀତି ଜୋର ଧରିଛି । ଦିଲ୍ଲୀରେ ଏହାକୁ ନେଇ ଯେତେ ଜୋରରେ ଚର୍ଚ୍ଚା ଚାଲିଛି, ଓଡିଶାରେ ଏହା କିଛି କମ୍ ନୁହେଁ । ଜୟ ଶାହାଙ୍କ ସଂପତିକୁ ନେଇ ସରଗରମ ହେଇଛି ରାଜ୍ୟ ରାଜନୀତି । ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏହି ପ୍ରସଙ୍ଗରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ସମ୍ପତି ଅମିତଙ୍କର ପୁଅ ନିମିସ ମାତ୍ର । ଶାହା ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ପାର୍ଟନର । ତେଣୁ ପ୍ରଧାନମନ୍ତ୍ରୀ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ବିଜେପି ସରକାରରେ ଦୁର୍ନୀତି ନୀତି ହୋଇଛି ବୋଲି ଦାମ ଅଭିଯୋଗ କରିଛନ୍ତି । ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ବିଜେପିକୁ କଡା ଭାଷାରେ ସମାଲୋଚନା କରିଛନ୍ତି । ବିଜେପି ନେତାମାନେ ବଡ ବଡ କଥା କୁହନ୍ତିି, କିନ୍ତୁ ଦୁର୍ନୀତିରେ ବୁଡି ରୁହନ୍ତି ବୋଲି ସେ କହିଛନ୍ତି । ଅମିତଙ୍କ ପୁଅ ଏତେ ଟଙ୍କା କେଉଁଠୁ ଆଣିଲେ ତାର ହିସାବ ଦିଅନ୍ତୁ ବୋଲି ଦାବି କରିଛନ୍ତି ତାରା । ଜୟ ଶାହାଙ୍କ ସମ୍ପତି ନେଇ ସୃଷ୍ଟି ହୋଇଥିବା ରାଜନୀତି ନେଇ ଉତର ରଖିଛି ବିଜେପି ।

ମାତ୍ର ବର୍ଷକ ଭିତରେ ଜୟ ଶାହାଙ୍କ କମ୍ପାନୀର ସମ୍ପତି କିପରି ୧୬ହଜାର ଗୁଣ ବୃଦ୍ଧି ପାଇଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଏହି ଘଟଣାରେ ଅମିତ୍ ଶାହାଙ୍କ ପୁଅ ଜୟ ଶାହାଙ୍କ ସମ୍ପତିର ପ୍ରବର୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତୁରନ୍ତ ତଦନ୍ତ କରାଇବାକୁ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଦାବି କରିଛନ୍ତି । ଅନ୍ୟପଟେ କେନ୍ଦ୍ରରେ ଥିବା ବିଜେପି ସରକାର ଏହି ଘଟଣାର ସ୍ପଷ୍ଟିକରଣ ଦେବାକୁ ବିଜେଡି ଦାବି କରିଛି । ଦୁର୍ନୀତିର କଥା କହୁଥିବା ଅମିତ ଶାହା ପ୍ରଥମେ ତାଙ୍କ ପୁଅଙ୍କ କଥା କୁହନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ଏବେ ନଜର ପକାନ୍ତୁ ପୁରା ମାମଲାଟି କଣ ? ବିଜେପି ଜାତୀୟ ସଭାପତି ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ କମ୍ପାନୀର ସମ୍ପତି ଅସ୍ୱାଭାବିକ ଭାବେ ବଢିଛି ବୋଲି ଦାବି କରିଛି ‘ଦି ୱେର’ ୱେବସାଇଟ । କିଭଳି ଅସ୍ୱାଭାବିକ ଭାବେ କମ୍ପାନିର ବ୍ୟବସାୟିକ କାରବାର ବୃଦ୍ଧି ପାଇଲା ତାକୁ ନେଇ ପ୍ରଶ୍ନ ଉଠାଇଥିଲା ୱେବସାଇଟ । ୨୦୧୨-୧୩ ଓ ୨୦୧୩-୧୪ ମସିହାରେ ଶାହାଙ୍କ ଟେମ୍ପଲ ଏଂଟରପ୍ରାଇଜ୍ ପ୍ରାଇଭେଟ୍ ଲିମିଟେଡ କ୍ଷତିରେ ଚାଲୁଥିଲା । ୨୦୧୪-୧୫ ଆର୍ଥିକ ବର୍ଷରେ ଏହି କମ୍ପାନୀ ୫୦ ହଜାର ଟଙ୍କାର ବ୍ୟବସାୟୀ କରୁଥିବା ବେଳେ ପ୍ରାୟ ୧୮ ହଜାର ୭୨୮ ଟଙ୍କା ଲାଭ କରିଥିବା ଏହି ୱେବସାଇଟ୍ ଉଲ୍ଲେଖ କରିଛି । ତେବେ ଏହି କମ୍ପାନୀର ବ୍ୟବସାୟିକ କାରବାର ୨୦୧୪-୧୫ରେ ୮୦ କୋଟି ଟଙ୍କା ଟପିଛି । ଏହାକୁ ନେଇ ସୃଷ୍ଟି ହୋଇଛି ବିବାଦ ।

ଏହି ଘଟଣାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିବା ବେଳେ ସଫେଇ ରଖିଛି ବିଜେପି । ଏପରିକି ଏହି ୱେବସାଇଟ୍ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ରୁଜୁ କରିବା ପାଇଁ ଚେତାବନୀ ଦେଇଛନ୍ତି ଜୟ ଶାହା । ତାଙ୍କର କାରବାରରେ କୌଣସି ଅନୀୟମିତତା ନାହିଁ ଏବଂ ଆୟକର ଓ କମ୍ପାନୀ ବ୍ୟାପାର ବିଭାଗ ପାଖରେ ସମସ୍ତ ତଥ୍ୟ ଥିବା ସେ ଲିଖିତ ପ୍ରତିକ୍ରିୟା ଜଣାଇଛନ୍ତି । ଏହା ତାଙ୍କ ପରିବାରକୁ ବଦନାମ କରିବାକୁ ଏକ ଷଡଯନ୍ତ୍ର ବୋଲି ଜୟ ଶାହା ଉଲ୍ଲେଖ କରିଛନ୍ତି ।