ଜାତୀୟ ଉଦ୍ୟାନ ପାଇଁ ବିପଦ ବଢାଉଛି ବେଆଇନ୍ ଚିଙ୍ଗୁଡି ଘେରୀ । ନାମକୁ ମାତ୍ର କେଇ ହାତ ଘେରି ବନ୍ଧ ଭାଙ୍ଗିଛି ବନବିଭାଗ ।

113

କନକ ବ୍ୟୁରୋ : ଭିତରକନିକା ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ଅଞ୍ଚଳରେ ଗଢି ଉଠିଥିବା ବେଆଇନ ଚିଙ୍ଗୁଡି ଘେରି ଭିତରକନିକା ପାଇଁ ବିପଦ ସାଜିଛି । ଭିତରକନିକାର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ ଘେରି ହୋଇଥିବାରୁ ଜୈବ ବିବିଧତା ପ୍ରଭାବିତ ହେଉଛି । ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ ରହିଛି । ଚିଙ୍ଗୁଡି ମାଫିଆଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଓ ତହସିଲ ପ୍ରଶାସନ ଚିଙ୍ଗୁଡିଘେରି ଭଙ୍ଗା କାର୍ଯ୍ୟ ଆରମ୍ଭ କରିଥିଲା । ହେଲେ ବନ କର୍ମଚାରୀ ନାମକୁ ମାତ୍ର ଘେରି ଉଚ୍ଛେଦ କରୁଥିବାରୁ ଏବେ ବି ଅନେକ ଗୁଡିଏ ଘେରିରେ ମାଛ ଚାଷ କରାଯାଉଥିବା ଅଭିଯୋଗ ହୋଇଛି ।

ଭିତରକନିକା ଅଭୟାରଣ୍ୟ ଅଞ୍ଚଳରେ ଥିବା ବେଆଇନ ଚିଙ୍ଗୁଡି ଘେରିକୁ ଉଚ୍ଛେଦ କରାଯାଇଛି । ରାଜନଗର ତହସିଲ ଅନ୍ତର୍ଗତ ଦିବାକରପୁର, ସୁନ୍ଦରୀପାଳ, ପ୍ରହରାଜପୁର ଓ ଯୋଗୀନାଥ ଅଞ୍ଚଳରୁ ୧୦୫ ଚିଙ୍ଗୁଡି ଘେରି ଭଙ୍ଗା ଯାଇଛି । ରେଞ୍ଜ ଅଫିସର ଶ୍ରୀ ରଥଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଉଚ୍ଛେଦ କରିଥିବା ରାଜନଗର ବନବିଭାଗ କହିଛି । ହେଲେ ଯେଉଁ ଘେରି ଗୁଡିକ ଭଙ୍ଗାଯାଇଛି ବୋଲି ଦର୍ଶାଯାଇଛି, ଏବେ ବି ସେଠାରେ ଘେରି ଅଛି ମାଫିଆଙ୍କ ରାଜ ଚାଲିଛି ।

ସିଆରଜେଡ ଆଇନ, ଭିତରକନିକା ଜାତୀୟ ଉଦ୍ୟାନ ଆଇନ, ପରିବେଶ ଆଇନ, ଇକୋ ସେନସେଟିଭ୍ ଜୋନ ଆଇନକୁ ଦଳି ଚକଟି ଭିତରକନିକା ଚାରିପଟେ ବେଆଇନ ଘେରି ରହିଛି । ସରକାରୀ ଜମି, ଜଙ୍ଗଲ ଜମି ଓ ସମୁଦ୍ର ଜୁଆର ମାଡୁଥିବା ନଈ ପଠାରେ ଘେରି କରିଛନ୍ତି ମାଫିଆ । ଫଳରେ ଭିତରକନିକାର ଜୈବ ବିବିଧତା ପ୍ରଭାବିତ ହେଉଛି । ତେଣୁ ବେଆଇନ ଚିଙ୍ଗୁଡି ଘେରି ଭାଙ୍ଗିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ ରହିଛି । ଚିଙ୍ଗୁଡି ମାଫିଆ ଏହାକୁ ଖାତିର କରୁନଥିବା ବେଳେ ବନ ବିଭାଗ କୋର୍ଟଙ୍କ ନିର୍ଦ୍ଦେଶକୁ ସଠିକ୍ ଢଙ୍ଗରେ ପାଳନ କରୁନଥିବା ଅଭିଯୋଗ କରିଛନ୍ତି ପରିବେଶବିତ୍ ।

କୋଷ୍ଟାଲ ଆକ୍ୱା କଲଚର୍ ଆକ୍ଟ୍ ଅନୁସାରେ ଭିତରକନିକା ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ଭିତରେ ଏବଂ ଇକୋ ସେନସିଟିଭ୍ ଜୋନ୍ ପରିସରରେ ଚିଙ୍ଗୁଡି ଘେରି ରହିପାରିବ ନାହିଁ । ତେଣୁ ବେଆଇନ୍ ଘେରି ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଆସିବା ପରେ ପର୍ଯ୍ୟାୟ ଭିତରକନିକାକୁ ଘେରୀ ମୁକ୍ତ କରାଯିବ ବୋଲି ବନ ବିଭାଗ କହିଛି ।