ଜେଲରେ ଥିବା ୪୨୦ ଠିକାଦାର ବିରୋଧରେ ଲମ୍ବିଲା ଅଭିଯୋଗ ଫର୍ଦ୍ଦ । ଗରିବଙ୍କ ଆବାସ ଗୃହ ହଡ଼ପ ଅଭିଯୋଗରେ ରୁଜୁ ହେଲା ଆଉ ୮ ଟି ମାମଲା 

186

କନକ ବ୍ୟୁରୋ: ବଢିଲା ଜେଲରେ ଥିବା ୪୨୦ ଠିକାଦାରଙ୍କ ଅଡୁଆ  । ଗରିବଙ୍କ ଆବାସ ଗୃହ ହଡ଼ପ ଅଭିଯୋଗରେ ରୁଜୁ ହୋଇଛି ଆଉ ୮ ଟି ମାମଲା । ଗରିବ ହିତାଧିକାରୀଙ୍କ ଆବାସ ଟଙ୍କା ହଡପ ଅଭିଯୋଗରେ ଜୁଲାଇ ୧୦ ତାରିଖରୁ ଗିରଫ ହୋଇ ଜେଲରେ ଅଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟର ୪୨୦ ଠିକାଦାର ସଂଜୀବ ସୁବୁଦ୍ଧି  ।

ଜେଲରେ ଅଛି ଠକ ଠିକାଦାର, ଏପଟେ ଥାନାରେ ଲମ୍ବୁଛି ଅଭିଯୋଗର ତାଲିକା । ଉମରକୋଟ୍ ଜେଲରେ ଥିବା ଠିକାଦାର ସଂଜୀବ ସୁବୁଦ୍ଧି ନାଁରେ ଅଭିଯୋଗ କରି ପୁଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗରିବ ହିତାଧିକାରୀ । ତୋହରା ପଂଚାୟତର କିରାପାଣି ଗାଁର ୮ ଜଣ ଆଦିବାସୀ ହିତାଧିକାରୀ  ଉମରକୋଟ ଥାନାରେ ସମାନ ଅଭିଯୋଗ କରିଛନ୍ତି । ୨୦୧୬-୧୭ ଆର୍ôଥକ ବର୍ଷରେ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହ କାମ କରାଇଦେବ କହି ପ୍ରଥମ ଦଫାରେ ୨୦ ହଜାର ଓ ଦ୍ୱିତୀୟ ଦଫାରେ ୩୫ ହଜାର ଲେଖାଏ ଟଙ୍କା ଉଠାଇ ନେଇଛି ଏହି ଠକ । ସମସ୍ତ ହିତାଧିକାରୀଙ୍କୁ ବ୍ୟାଙ୍କକୁ ଡାକି ସେମାନଙ୍କ ଟିପ ଚିହ୍ନ ନେଇ ଠିକାଦାର ଟଙ୍କା ହଡ଼ପ କରିଥିବା ହିତାଧିକାରୀ କହିଛନ୍ତି ।

ଠିକାଦାର ସଂଜୀବ ସୁବୁଦ୍ଧି, ଗରିବ ଆଦିବାସୀଙ୍କ ଆବାସ ଘର ତିଆରି କରାଇ ଦେହ କହ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି । ଏନେଇ କୁର୍ସି ପଚଂୟାତର ହିତାଧିକାରୀ ଉମରକୋଟ ଥାନାରେ ୫ଟି ଏତଲା ହେବା ପରେ ଘଟଣାର ପ୍ରାଥମିକ ତଦନ୍ତ କରି ଠିକାଦାର ସଂଜୀବ ସୁବୁଦ୍ଧିକୁ ଗିରଫ କରି ଜେଲ ପଠାଇ ଦେଇଛି ପୁଲିସ ।

ନିରୀହ ହିତାଧିକାରୀଙ୍କ ଆବାସ ଟଙ୍କା ହଡପ କରିବା ସହ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିଲା ଏଇ ଠକ । ଏମିତିକି ଜାତିଆଣ ଅକ୍ଷେପ କରି ଗାଳି ଗୁଲଜ କରୁଥିଲା । ତେଣୁ ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୪୨୦ ୨୯୪, ୫୦୬, ୪୦୬ ସହ ଆଟରୋସିଟି ଧାରା ଲାଗିଛି  ।