କନକ ବ୍ୟୁରୋ : ଦିନକୁ ଦିନ ଅସହ୍ୟ ହେଉଛି ଟାଟା ପାୱାର କାର୍ଯ୍ୟକଳାପ । ବିଦ୍ୟୁତ ବିଲ୍ ଆଦାୟ ଆଳରେ ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି ଟାଟା କମ୍ପାନୀର କର୍ମଚାରୀ । ବିଦ୍ୟୁତ ବିଲ୍ ପୈଠ ହୋଇଥିବା ସତ୍ୱେ ମାଲାକନଗିରି ଜିଲ୍ଲାରେ ଜଣେ ଚାଷୀଙ୍କ ବିଦ୍ୟୁତ ସଂଯୋଗ କାଟି ଦେଇଛି ବିଦ୍ୟୁତ ବିତରଣକାରୀ ସଂସ୍ଥା । ମକା ବାଡକୁ ଖିନଭିନ କରି ଭାଙ୍ଗି ଦେଇଛନ୍ତି ଟାଟା କର୍ମଚାରୀ । ଘରେ ବୁଢି ମାଆ ଶଜ୍ୟାସାୟୀ ଥିଲେ ହେଁ କିଛି ବାଛ ବିଚାର ନକରି ବିଦ୍ୟୁତ କାଟି ଚାଲିଗଲେ କର୍ମଚାରୀ । ଟାଟା ପାୱାର ଏପରି କାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Advertisment

ଏମଭି-୪୧ ଗାଁର ଦିପକ ଦେଙ୍କ ମାଆ ଶଯ୍ୟାଶାୟୀ, ଶ୍ୱାସରୋଗରେ ପୀଡିତ । ଘଂଟା ଘଂଟା ଧରି ନେବୁଲାଇଜର ସହ ତାଙ୍କ ପାଇଁ କୁଲର ଓ ଫ୍ୟାନ ପବନର ଆବଶ୍ୟକତା ରହିଛି । କିନ୍ତୁ ଅନ୍ଧାର ରାତିରେ ଦୀପକଙ୍କ ଘରର ବିଦ୍ୟୁତ ସଂଯୋଗ କାଟି ଦେଇଛନ୍ତି ଟାଟା ପାୱାର କର୍ମଚାରୀ । ଆଉ ବିଦ୍ୟୁତ କାଟିବା ସମୟରେ ଟ୍ରାନ୍ସଫର୍ମର ନିକଟରେ ଥିବା ମକା ବାଡକୁ ନଷ୍ଟ କରି ଦେଇଛନ୍ତି ।
ଦୀପକ ଦେଙ୍କ ସ୍ତ୍ରୀ ନାଁରେ ବିଦ୍ୟୁତ ସଂଯୋଗ ରହିଛି । ଗତ ୧୬ ତାରିଖରେ ୬୯୬ ଟଙ୍କାର ବିଲ୍ ଆସିଥିବା ବେଳେ ୭୦୦ ଟଙ୍କା ଦେଇ ରସିଦ ପାଇଛନ୍ତି । ସେହିପରି ଉଠା ଜଳସେଚନ ବାବାଦକୁ ୨୧ ହଜାର ୩୯୨ ଟଙ୍କାର ବିଲ୍ ଆସିଥିବା ବେଳେ ସେପ୍ଟେମ୍ବର ୯ ତାରିଖରେ ୭ ହଜାର ଟଙ୍କା ପୈଠ କରିଛନ୍ତି । ତଥାପି ଚାଷୀଙ୍କ ସମସ୍ୟା ନବୁଝି ଟାଟାର କର୍ମଚାରୀ ଘର ସହ ଉଠା ଜଳ ସେଚନ ପ୍ରକଳ୍ପର ବିଦ୍ୟୁତ ସଂଯୋଗ କାଟି ଦେଇଛନ୍ତି । ଚାଷୀମାନେ ଜାଣି ଶୁଣି ମକା ବାଡ ଭାଙ୍ଗି ଦେଇଥିବା ଯୁକ୍ତି ବାଢିଛନ୍ତି ଟାଟା ପାୱାରର ମାଲକାନଗିରି ନିର୍ବାହୀ ଯନ୍ତ୍ରୀ ପ୍ରତାପ କେଶରୀ ନାୟକ ।