କନକ ବ୍ୟୁରୋ : ସାମ୍ବାଦିକଙ୍କୁ ଧକ୍କା ମାରିବା ଓ ଗୋଡରେ ବେଡି ପକାଇବା ଘଟଣାରେ ବିବାଦୀୟ ହୋଇ ପଡିଥିବା ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କୁ ନେଇ ନୂଆ ନୂଆ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ପରେ ଦ୍ରୌପଦୀ ବିବାଦୀୟ ହୋଇନାହାନ୍ତି ବରଂ ଏହା ପୂର୍ବରୁ ବିବାଦ ଓ ଅଭିଯୋଗର ଲମ୍ବା ତାଲିକା ଦ୍ରୌପଦୀଙ୍କ ନାଁରେ ରହିଛି । ଆଉ ତାହା ବି ପୁଣି ଅତି ସଙ୍ଗୀନ ଅଭିଯୋଗ ।

Advertisment

ନୀଳଗିରି ପୂର୍ବରୁ ଦ୍ରୌପଦୀ ଯାଜପୁରର ଟମକା ଥାନରେ ଆଇଆଇସି ଭାବେ କାର୍ଯ୍ୟ କରୁଥିଲେ । ସେତେବେଳେ କ୍ରୋମାଇଟ ଗାଡି ଅଟକାଇ ବଟି ଆଦାୟ କରୁଥିଲେ ଦ୍ରୌପଦୀ । ଏନେଇ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ପରେ ବିଭାଗ ପକ୍ଷରୁ ତାଙ୍କୁ ସ୍ପେଶାଲ ବ୍ରାଞ୍ଚକୁ ବଦଳି କରାଯାଇଥିଲା । ଯାହା ଦର୍ଶାଉଥିଲା ଦ୍ରୌପଦୀଙ୍କ ନାଁରେ ଆସିଥିବା ଅଭିଯୋଗରେ ସତ୍ୟତା ରହିଥିଲା । ଆଉ ଏହାର କିଛି ଦିନ ମଧ୍ୟରେ ତାଙ୍କୁ ନୀଳଗିରି ଥାନାକୁ ବଦଳି କରାଯାଇଥିଲା ।

କେବଳ ଏହି ଘଟଣା ନୁହେଁ ନୀଳଗିରି ଥାନାରେ ମଧ୍ୟ ସାଧାରଣ ଲୋକଙ୍କ ଉପରେ ଆଇଆଇସି ଦ୍ରୌପଦୀ ଦାସ ଜୁଲୁମ କରୁଥିବା ନେଇ ଅଭିଯୋଗ ହୋଇଛି । କୌଣସି ଅଭିଯୋଗ ରଖିବାକୁ ଲାଞ୍ଚ ନେଉଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି । ଏପରିକି ଯିଏ ଆଇଆଇସିଙ୍କ କଥାରେ ପରିଚାଳିତ ନହେଲା ତାଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇବାକୁ ଧମକ ଦେଉଥିଲେ । ଯାହାଫଳରେ ଅନେକ ଅଭିଯୋଗକାରୀ ଭୟରେ ଅଭିଯୋଗ କରିବା ବଦଳରେ ଚୁପ୍ ରହିବାକୁ ଉଚିତ୍ ମଣୁଥିଲେ । କିନ୍ତୁ ଏବେ ଦ୍ରୌପଦୀଙ୍କ ବିବାଦୀୟ ବହିର ଗୋଟିଏ ପରେ ଗୋଟିଏ ପୃଷ୍ଠା ଓଲଟିବା ଆରମ୍ଭ କରିିଛି । ତେଣୁ ଏଭଳି ବିବାଦୀୟ ପୋଲିସ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି ।

ଅନ୍ୟପଟେ ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ସସପେଣ୍ଡ ହେଲେ ହାବିଲଦାର । ପୋଲିସ୍ କଷ୍ଟଡି ଦାୟିତ୍ୱରେ ହାବିଲଦାରଙ୍କୁ ସସପେଣ୍ଡ କରିବାକୁ ନିର୍ଦ୍ଦେଶ ଦେଲେ ପୋଲିସ୍ ଡିଜି ସୁନୀଲ ବଂଶଲ । ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ ଆଇଆଇସି ଦୌପଦୀ ଦାସ । ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ହାବିଲଦାରଙ୍କ ବିରୋଧରେ । ଯାହାକୁ ନେଇ ଏବେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ସଂଘର ପ୍ରଶ୍ନ, ଆଇଆଇସିଙ୍କ ବିରୋଧରେ କାହିଁକି ନିଆଯିବନି କାର୍ଯ୍ୟାନୁଷ୍ଠାନ? ତଳିଆ ଅଫିସରଙ୍କୁ ସସପେଣ୍ଡ କରି ବଡ ବଡିଆ ଅଫିସରଙ୍କୁ କାହିଁକି ଘଣ୍ଟ ଘୋଡାଉଛି ପୋଲିସ ବିଭାଗ? ଆଇଆଇସି ଦ୍ରୌପଦୀ ଦାସଙ୍କ ମୁଣ୍ଡ ଉପରେ କାହାର ଆର୍ଶୀବାଦ ରହିଛି ଯେ, ପୋଲିସ ବିଭାଗ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି ।